ରାଉରକେଲା, ୦୫/୦୯: ସର୍କିଟ୍ ହାଉସ୍ ମାମଲାରେ ଗିରଫ ହୋଇଥିବା ପ୍ରକାଶ ପାଶୱାନଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଦୁର୍ଗାପୁର ପାହାଡ଼ ଅଞ୍ଚଳରେ ଜଙ୍ଗଲ ଜମି ଉପରେ ନିର୍ମାଣ ହୋଇଥିବା ତାଙ୍କ ଏକ ଅଫିସ୍କୁ ବନବିଭାଗ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ସେକ୍ଟର-୨୧ ଅଞ୍ଚଳରେ ଥିବା ତାଙ୍କ ଆଉ ଏକ ଅଫିସ୍କୁ ପ୍ରଶାସନ ସିଲ୍ କରିଥିଲା।
ସୂଚନା ଅନୁସାରେ, ଦୁର୍ଗାପୁର ପାହାଡ଼ର ସଂରକ୍ଷିତ ଜଙ୍ଗଲ ଜମିରେ ଅନୁମତି ବିନା ଏକ ବଡ଼ କୋଠା ନିର୍ମାଣ ହୋଇଥିଲା। ଏହି ସ୍ଥାନକୁ ଅଫିସ୍ ତଥା କମ୍ୟୁନିଟି ସେଣ୍ଟର ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ଥିଲା। ଜଙ୍ଗଲ ଜମିରେ ଅନଧିକୃତ ନିର୍ମାଣ ନେଇ ଯାଞ୍ଚ ପରେ ବନବିଭାଗ ପକ୍ଷରୁ ଏହାକୁ ହଟାଇବା ପାଇଁ ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ, ଅଗଷ୍ଟ ୧୫ ତାରିଖରେ ପାନପୋଷ ସର୍କିଟ୍ ହାଉସ୍ର ଏକ କୋଠରୀରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ପରେ ମାମଲାର ତଦନ୍ତରୁ ପ୍ରକାଶଙ୍କ ନାଁ ସାମ୍ନାକୁ ଆସିଥିଲା ଏବଂ ସେ ଫେରାର ଥିବା ବେଳେ ପୁଲିସ ତାଙ୍କୁ ବିହାରର ସମସ୍ତିପୁରରୁ ଗିରଫ କରିଥିଲା। ଗିରଫ ପରେ ପ୍ରକାଶଙ୍କୁ ରାଉରକେଲା ଅଣାଯାଇ ପଚରାଉଚରା କରାଯାଇଥିଲା। ଅଗଷ୍ଟ ୨୯ରେ ତାଙ୍କୁ ଦୁଇ ଦିନିଆ ପୁଲିସ ରିମାଣ୍ଡରେ ନିଆଯାଇଥିଲା।
ଏହି ମାମଲାରେ ପ୍ରକାଶଙ୍କୁ ବିଜେପି ପକ୍ଷରୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ସେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ମାମଲାରେ ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି ଜୁଏଲ ଓରାମ ମଧ୍ୟ କହିଥିଲେ। ଏହି ମାମଲାରେ ମୋଟ ୧୨ ଜଣଙ୍କୁ ଜେଲ୍ ପଠାଯାଇଥିବା ମଧ୍ୟ ଜଣାପଡ଼ିଛି।