ଭୁବନେଶ୍ୱର, ୦୫/୦୯: ଗୁରୁ ଦିବସରେ ରାଜରାସ୍ତାରେ ଗର୍ଜୁଛନ୍ତି ଗୁରୁ। ନିଜ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ। ଦୀର୍ଘଦିନ ଧରି ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକମାନେ।
ଆନ୍ଦୋଳନକାରୀ ଶିକ୍ଷକମାନେ ସରକାରଙ୍କ ନିକଟରେ ଅନୁଦାନ ପ୍ରଦାନ, ପେନ୍ସନ୍ ଏବଂ ସମାନ କାମକୁ ସମାନ ଦରମା ଭଳି ଦାବି ରଖିଛନ୍ତି। ସେମାନଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି ଶିକ୍ଷାଦାନ କରିଆସୁଥିଲେ ମଧ୍ୟ ଅନେକ ଶିକ୍ଷକ ଚାକିରି ସୁରକ୍ଷା, ପେନ୍ସନ୍ ଓ ଅନ୍ୟାନ୍ୟ ସୁବିଧା ପାଇପାରୁନାହାନ୍ତି।
ଶିକ୍ଷକମାନଙ୍କ ମୁଖ୍ୟ ଦାବି ହେଉଛି: ଯୋଗ୍ୟ ଘରୋଇ ସ୍କୁଲ ଓ କଲେଜକୁ ସରକାରୀ ଅନୁଦାନ ପ୍ରଦାନ, ଶିକ୍ଷକ ଓ କର୍ମଚାରୀଙ୍କୁ ଉପଯୁକ୍ତ ସୁବିଧା ପ୍ରଦାନ, ସମାନ କାମକୁ ସମାନ ଦରମା ଲାଗୁ କରିବା, ଅବସର ବୟସ ସୀମା ୬୨ ବର୍ଷ କରିବା, ପେନ୍ସନ୍ ସୁବିଧା ପ୍ରଦାନ କରିବା ଏବଂ ଯୋଗ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁଦାନ ବ୍ୟବସ୍ଥାରେ ସାମିଲ କରିବା।
ଆନ୍ଦୋଳନରତ ଶିକ୍ଷକମାନେ କହିଛନ୍ତି ଯେ, ଦୀର୍ଘଦିନ ଧରି ସେମାନଙ୍କ ଦାବି ଉପରେ ସରକାରଙ୍କ ଠାରୁ ଆଶାନୁରୂପ ପଦକ୍ଷେପ ନିଆଯାଇନାହିଁ। ଦାବି ପୂରଣ ନହେଲେ ଆଗକୁ ଆହୁରି ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।