ଶିକ୍ଷକଙ୍କ ରଣହୁଙ୍କାର: ଆନ୍ଦୋଳନ ସ୍ଥଳରେ ଦୁଇ ମନ୍ତ୍ରୀ

୮ ଶହ ପୃଷ୍ଠାର ୭୯ ରିପୋର୍ଟ ହସ୍ତଗତ, ଖୁବ୍ ଶୀଘ୍ର ନିଷ୍ପତ୍ତି: ମନ୍ତ୍ରୀ

ଭୁବନେଶ୍ୱର, ୦୫/୦୯: ରାଜଧାନୀର ରାଜରାସ୍ତାରେ ଶିକ୍ଷକ-ଶିକ୍ଷୟିତ୍ରୀ। ୨୧ ଦିନରେ ପହଞ୍ଚିଛି ଶିକ୍ଷକଙ୍କ ଅହୋରାତ୍ର ଗଣଧାରଣା। ବିଦ୍ୟାଳୟ ଛାଡ଼ି ଶିକ୍ଷକ, ଶିକ୍ଷୟିତ୍ରୀ ରାଜଧାନୀ ଗାନ୍ଧିମାର୍ଗରେ ଖୋଲା ଆକାଶ ତଳେ ଚାଲିଛି ଆନ୍ଦୋଳନ। ଆଜି ଗୁରୁ ଦିବସରେ ମଧ୍ୟ ଜୋରଦାର ହୋଇଛି ଆନ୍ଦୋଳନ।

ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି ଦୁଇ ମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନରତ ଶିକ୍ଷକ।

ଆଲୋଚନା ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଖୁବ କମ୍‌ ସମୟରେ ସମସ୍ୟା ସମାଧାନ ହେବ। ଏନେଇ କମିଟି ରିପୋର୍ଟ ସରକାରଙ୍କ ହସ୍ତକ୍ଷେପ ହୋଇ ସାରିଛି। ୮ ଶହ ପୃଷ୍ଠାର ୭୯ ରିପୋର୍ଟ ଆମର ହସ୍ତଗତ ହୋଇଛି। କମ୍‌ ସମୟ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏକ ପ୍ରତିନିଧି ମଣ୍ଡଳୀ ଆସି ଆମ ସହ ଆଲୋଚନା କରନ୍ତୁ। ଆମେ ପ୍ରତିନିଧି ମଣ୍ଡଳୀ ସହ ବିସ୍ତୃତ ଭାବେ ଆଲୋଚନା କରିବୁ।

ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କମିଟିର ରିପୋର୍ଟର ତର୍ଜମା କରି ସରକାର ନିଷ୍ପତ୍ତି ନେବେ। ରିପୋର୍ଟର ତଜର୍ମା ନ କରି ସରକାର ନିଷ୍ପତ୍ତି ନେଇ ପାରିବେନି। ସମସ୍ୟା ପ୍ରାୟ ୨୦ ବର୍ଷର, ସରକାର ସମ୍ବେଦନଶୀଳ ଅଛନ୍ତି। ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ।