ପ୍ରକୃତିର ପ୍ରଳୟ ଆଗରେ ହାର ମାନିଲା ମୃତ୍ୟୁ

ମାଟି କାଦୁଅରେ ୧୧ ଦିନ, ମୃତ୍ୟୁକୁ ମାତ୍ ଦେଇ ଫେରିଲା ଜୀବନ

କାଠମାଣ୍ଡୁ, ୦୫/୦୯: ଘନ ଅନ୍ଧକାର, ଶ୍ୱାସରୁଦ୍ଧ ବାୟୁ ଏବଂ ଦୀର୍ଘ ୧୧ ଦିନର ଅସହ୍ୟ ଯନ୍ତ୍ରଣା—ଯେଉଁଠି ମୃତ୍ୟୁ ଛାଇ ପରି ଘେରି ରହିଥିଲା, ସେଠାରେ ହାର ମାନିଛି ପ୍ରକୃତିର କରାଳ ପ୍ରଳୟ। ମାଟି ତଳର ଗଭୀର ଅନ୍ଧକାର ଏବଂ ଟନେଲର ନୀରବତାକୁ ଚିରି ବାହାରିଛି ଜୀବନ।

ପ୍ରକୃତିର ସେହି ପ୍ରଳୟଙ୍କରୀ ରୂପ ଆଗରେ ସବୁକିଛି ନିମିଷକେ ମାଟିରେ ମିଶିଯାଇଥିଲା। ଗ୍ଲେସିୟର ଧସିବା ଏବଂ ଭୂସ୍ଖଳନ ହେବା ପରେ କାଦୁଅ ତଳେ ପୋତି ହୋଇଯାଇଥିଲା ଶହ ଶହ ପରିବାରର ସ୍ୱପ୍ନ ଓ ହସଖୁସି। ଆଶା, ଭରଷା ଏବଂ ସମ୍ପର୍କର ସମସ୍ତ ସୂତାଖିଅ ଯେପରି ଗୋଟିଏ ଝଟକାରେ ଛିଣ୍ଡି ଯାଇଥିଲା। କିନ୍ତୁ ଦୀର୍ଘ ୧୧ ଦିନ ଧରି ଏହି ମୃତ୍ୟୁର ପାଦ ଦେଶରେ ଚାଲିଥିଲା ଜୀବନର ସଂଗ୍ରାମ।

ଯେଉଁଠି ଆଶାର ଶେଷ କିରଣ ବି ଲିଭିଯାଇଥିଲା, ସେଠାରେ ସାମ୍ନାକୁ ଆସିଛି ଏକ ଚମତ୍କାର ଘଟଣା। ପ୍ରାୟ ୨୨୫ ମିଟର ଗଭୀର ଅନ୍ଧକାର ଟନେଲ ଏବଂ କାଦୁଅ ଭିତରୁ ଜୀବିତ ବାହାରିଛନ୍ତି ମଣିଷ।

ନେପାଳରେ ଅଗଷ୍ଟ ୨୬ରେ ଗ୍ଲେସିୟର ଧସିବା ପରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ପରିସ୍ଥିତି ମଧ୍ୟରୁ ଦୀର୍ଘ ୧୦ ରୁ ୧୧ ଦିନ ପରେ ଆଶ୍ଚର୍ଯ୍ୟଜନକ ଭାବେ କିଛି ଜୀବିତ ଲୋକଙ୍କୁ ଉଦ୍ଧାର କରାଯାଇଛି।

ରସୁୱା ଜିଲ୍ଲାରେ ଥିବା ତ୍ରିଶୂଳୀ-୩ଏ ଜଳବିଦ୍ୟୁତ ପ୍ରକଳ୍ପର ପ୍ରାୟ ୭୩୮ ଫୁଟ୍ ର ଗଭୀର ଟନେଲ୍ ଭିତରୁ ଶନିବାର ଜଣେ ଚୀନ୍ ନାଗରିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ନେପାଳ ସେନା ଏବଂ ଦକ୍ଷିଣ କୋରିଆର ବିପର୍ଯ୍ୟୟ ପ୍ରଶମନ ଟିମ୍ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ କରିଥିଲେ।

ଏହା ପୂର୍ବରୁ ଶୁକ୍ରବାର ସେହି ସମାନ ଟନେଲରୁ ପ୍ରାୟ ୧୭୦ ମିଟର ଗଭୀରରୁ ସଞ୍ଜୟ ସାହା ଏବଂ କବୀର ମହର୍ଜନ ନାମକ ଦୁଇଜଣ ନେପାଳୀ ଇଞ୍ଜିନିୟରଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ଟନେଲ ଭିତରେ ଥିବା ଅମ୍ଳଜାନ ପ୍ୟାକେଟ୍ ଯୋଗୁଁ ସେମାନେ ୯ ରୁ ୧୦ ଦିନ ଅନ୍ଧାର ଭିତରେ ରହି ମଧ୍ୟ ବଞ୍ଚିପାରିଥିଲେ। ଏହାକୁ ମିଶାଇ ଏହି ଜଳବିଦ୍ୟୁତ ପ୍ରକଳ୍ପରୁ ମୋଟ ୩ ଜଣ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରାଗଲାଣି।

ସେହିପରି ବନ୍ୟା ପ୍ରଭାବିତ ନୁୱାକୋଟ୍ ଅଞ୍ଚଳରେ ମାଟି ଏବଂ ଭଙ୍ଗାରୁଜା ଘରର ଅବଶେଷ ତଳେ ଫସିରହିଥିବା ଜଣେ ମହିଳାଙ୍କୁ ନେପାଳ ସେନା ଜୀବିତ ଉଦ୍ଧାର କରିଛି।

ଦୀର୍ଘ ୧୦-୧୧ ଦିନ ଧରି ମାଟି ତଳେ ଚାପି ହୋଇ ରହିବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ପ୍ରଥମେ ସେହି ମହିଳାଙ୍କୁ ପିଇବାକୁ ପାଣି ଦେଇଥିଲେ ଏବଂ ପରେ ହେଲିକପ୍ଟର ଯୋଗେ କାଠମାଣ୍ଡୁର ହସ୍ପିଟାଲକୁ ଏୟାରଲିଫ୍ଟ କରିଛନ୍ତି।

ଏହି ପ୍ରଳୟଙ୍କରୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧,୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଛି ଏବଂ ୫,୦୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ନେପାଳର ପ୍ରାୟ ୧୨ଟି ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିରେ ପ୍ରାୟ ୯୦୦ ଶ୍ରମିକ ନିଖୋଜ ଅଛନ୍ତି। ଭାରତ, ଚୀନ୍, ଦକ୍ଷିଣ କୋରିଆ ଏବଂ ଆମେରିକାର ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନେପାଳ ସେନା ସହିତ ମିଶି ଦିନରାତି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।