ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ

ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ, ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୮/୧୦: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅବଢ଼ା ଯୋଜନା ଅଧିନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ପ୍ରକଳ୍ପ ପାଇଁ ପୂର୍ବ ଅପେକ୍ଷା ଅଧିକ ୧୦୦.୮୩ କୋଟି ଟଙ୍କା ବିନିଯୋଗ ହେବ। ଏହି ଅର୍ଥ ମଞ୍ଜୁର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ ନିଶ୍ଚୟ ଦିଆଯିବ। ଏଥିପାଇଁ ଅର୍ଥର ଅଭାବ ହେବ ନାହିଁ।

ସୂଚନାଯୋଗ୍ୟ ଯେ, ପୁରୀରେ ଅବଢା (Augmentation Basic Amenities and Development of Heritage and Architecture) ଯୋଜନାରେ ଜଗନ୍ନାଥ ବଲ୍ଲଭ ପିଲ୍‌ଗ୍ରିମ୍ ସେଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ଏହା ସହିତ ମୁସା ନଦୀର ସଂପ୍ରସାରଣ ଆଦି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ପ୍ରାରମ୍ଭିକ ବଜେଟ ଅନୁଯାୟୀ ଏଥିପାଇଁ ୫୫୭.୧୯ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଏହି ପ୍ରକଳ୍ପରେ ଆଉ ଅଧିକ ନିର୍ମାଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । JBPCର ପଞ୍ଚମ ମହଲାରେ ୨ ହଜାର ଆସନ ବିଶିଷ୍ଟ ଏକ ମଲ୍‌ଟି ପର୍ପୋଜ୍ ହଲ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ପ୍ରକଳ୍ପଜନିତ ଅନ୍ୟାନ୍ୟ ଆବଶ୍ୟକତା ଯୋଗୁ ଏଥିପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିଲା।

ମୁଖ୍ୟମନ୍ତ୍ରୀ ଏହି ଆବଶ୍ୟକତାକୁ ଅନୁଭବ କରି ପ୍ରକଳ୍ପ ମୂଲ୍ୟ ବୃଦ୍ଧି କରି ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ୬୫୮,୦୩,୭୦,୦୦୦ ଟଙ୍କା ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ପ୍ରକଳ୍ପ ମୂଲ୍ୟରେ ୧୦୦,୮୩,୮୫,୦୦୦ ଟଙ୍କା ବୃଦ୍ଧି ପାଇଛି।