ଭୁବନେଶ୍ୱର, ୧୫।୧୦: ଆମେରିକାର ୱାଶିଂଟନ ରାଜ୍ୟର ସିନେଟର ତଥା ବିଭିନ୍ନ ସହରର ମେୟରଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। ଏହି ଅବସରରେ କିସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୱାଶିଂଟନ ରାଜ୍ୟର ୧୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କିଟ୍-କିସ୍ ଇଜ୍ ୱାନ୍’ (କିଓ) ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ୱାଶିଂଟନ୍ ରାଜ୍ୟର ସିନେଟର ଟିନା ଲୁଇସ୍ ଓରୱାଲ୍, କେଣ୍ଟ ସହରର ମେୟର ଦାନା ଲିନ୍ ରାଲ୍ଫ, ଟୁକ୍ୱିଲା ମେୟର ଥୋମାସ୍ ୱେନ୍ ମ୍ୟାକ୍ଲିଓଡ୍, ଇସାକ୍ୱାର ମେୟର ମାର୍କ ଡଗ୍ଲାସ୍ ମୁଲେଟ୍, ମୁକିଲ୍ଟିଓର ମେୟର ଜୋସେଫ୍ ଡାନିଏଲ୍ ମେରିନ୍, ଡୁପଣ୍ଟର ମେୟର ରୋନାଲ୍ଡ ଜନ୍ ଫ୍ରେଡେରିକ୍, ୟୁନିଭର୍ସିଟି ପ୍ଲେସ୍ର ମେୟର ଷ୍ଟାନ୍ଲି ଲଳିତ କୁମାର ଫ୍ଲେମିଂ, ସିଟାକ୍ର ମେୟର ମହମ୍ମଦ ଅଲି ଇଗାଲ୍, ୟୁନିଭର୍ସିଟି ପ୍ଲେସ୍ର କାର୍ଯ୍ୟକାରୀ ମେୟର ଡେନିସ୍ ଟେରେସା ମ୍ୟାକ୍କ୍ଲସ୍କି, କେଣ୍ଟ ସହର ପରିଷଦର ସଦସ୍ୟା ଟୋନି ମାରି ଟ୍ରାଉଟନର ପ୍ରମୁଖଙ୍କୁ କିଓ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଅତିଥିମାନେ ସେମାନଙ୍କ ପ୍ରତକ୍ରିୟାରେ ଖୁସି ବ୍ୟକ୍ତି କରି କହିଲେ, କିଟ୍ ଓ କିସ୍ ବୁଲିବା ପରେ ଆମେ ବେଶ ପ୍ରଭାବିତ ହୋଇଛୁ। ଏତେ ସଂଖ୍ୟକ ପିଲାଙ୍କୁ ଆମେ କେବେ ବି ଗୋଟିଏ ସ୍ଥାନରେ ଦେଖି ନଥିଲୁ। କିସ୍ ପିଲାଙ୍କ ଶୃଙ୍ଖଳା ଓ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅତି ପ୍ରଶଂସନୀୟ ବୋଲି ସେମାନେ କହିଥିଲେ। ଇଣ୍ଡିଆ ଟ୍ରେକ୍ କାର୍ଯ୍ୟକ୍ରମରେ ୱାଶିଂଟନ ରାଜ୍ୟରୁ ଏହି ୧୭ଜଣିଆ ପ୍ରତିନିଧିମଣ୍ଡଳୀ ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ ଭ୍ରମଣରେ ଅଛନ୍ତି।
ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ସ୍ୱାଗତ ଭାଷଣ କରିବା ସହ କିଟ୍ ଓ କିସ୍ ପରିଦର୍ଶନ ପାଇଁ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।