କର୍ମଚାରୀଙ୍କ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ଜିନ୍ଦଲ ଷ୍ଟିଲ୍‌କୁ ୱାର୍ଲ୍ଡଷ୍ଟିଲ୍‌ର ସମ୍ମାନଜନକ ‘ଷ୍ଟିଲି ଆୱାର୍ଡ’

ପ୍ରତ୍ୟେକ କର୍ମଚାରୀଙ୍କୁ ଦକ୍ଷ କରିବା ‘ଦକ୍ଷତା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ, ୧୫/୧୦: କର୍ମଚାରୀଙ୍କ ସୁରକ୍ଷା କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍। କମ୍ପାନୀର ସୁରକ୍ଷା କାର୍ଯ୍ୟକ୍ରମ ‘ଦକ୍ଷତା ଇଞ୍ଜିନିୟରିଂ ସେଫ୍ଟି’ ପାଇଁ ୱାର୍ଲ୍ଡ ଷ୍ଟିଲ୍ ଆସୋସିଏସନ୍ (ୱାର୍ଲ୍ଡଷ୍ଟିଲ୍) ପକ୍ଷରୁ ସମ୍ମାନଜନକ ୨୦୨୬ ଷ୍ଟିଲି ଆୱାର୍ଡ ଫର୍ ଏକ୍ସିଲେନ୍ସ ଇନ୍ ପିପୁଲ୍ ପ୍ରଦାନ କରାଯାଇଛି।

୧୨ ଅକ୍ଟୋବର ୨୦୨୬ରେ ନୂଆଦିଲ୍ଲୀଠାରେ ଆୟୋଜିତ ୧୭ତମ ଷ୍ଟିଲି ଆୱାର୍ଡ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଚୀନ ବାଓୱୁ, ଇନ୍‌ଫ୍ରାବିଲ୍ଡ, ଟାଟା ଷ୍ଟିଲ୍ ଏବଂ ୟୁସିମିନାସ୍ ଭଳି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ପଛରେ ପକାଇ ଜିନ୍ଦଲ ଷ୍ଟିଲ୍‌ ବିଜେତା ହୋଇଥିଲା। ଏକ ସ୍ୱତନ୍ତ୍ର ନିରପେକ୍ଷ ବିଶେଷଜ୍ଞ କମିଟି ଦ୍ୱାରା ଏହି ପୁରସ୍କାର ବିଜେତାଙ୍କୁ ଚୟନ କରାଯାଇଥିଲା।

‘ଦକ୍ଷତା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ କର୍ମଚାରୀଙ୍କୁ ନିର୍ଦ୍ଧାରିତ ଦାୟିତ୍ୱ ଏବଂ କାର୍ଯ୍ୟର ପ୍ରକୃତି ଅନୁଯାୟୀ ସେମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଦକ୍ଷ କରିବା। ଏହି କାର୍ଯ୍ୟକ୍ରମରେ କେବଳ ପ୍ରଶିକ୍ଷଣରେ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଏ ନାହିଁ; ବରଂ ସୁରକ୍ଷା ସମ୍ପର୍କିତ ଜ୍ଞାନ, ବ୍ୟବହାରିକ ଦକ୍ଷତା, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ସୁରକ୍ଷିତ କାର୍ଯ୍ୟଶୈଳୀର ମଧ୍ୟ ମୂଲ୍ୟାଙ୍କନ କରାଯାଏ।

ଏହି କାର୍ଯ୍ୟକ୍ରମ ଅଧୀନରେ ଜିନ୍ଦଲ ଷ୍ଟିଲ୍‌ର ୬ଟି କାର୍ଯ୍ୟସ୍ଥଳରେ ୨୭,୧୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀଙ୍କୁ ସାମିଲ କରାଯାଇଛି। କମ୍ପାନୀ ପକ୍ଷରୁ ୧୬,୫୩୯ ଜଣ ନୂତନ କର୍ମଚାରୀଙ୍କ ସୁରକ୍ଷା ଦକ୍ଷତାର ମୂଲ୍ୟାଙ୍କନ କରାଯାଇଥିବାବେଳେ ୬୯ ଜଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କ ମାଧ୍ୟମରେ ୩୭୨ଟି ସୁରକ୍ଷା ଓ ଏଚ୍‌ଏସ୍‌ଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ରାୟପୁର ମେସିନାରୀ ଡିଭିଜନ୍‌ରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ କାର୍ଯ୍ୟସ୍ଥଳ ନିରୀକ୍ଷଣ, ଡିଜିଟାଲ୍ ବିପଦ ବିଶ୍ଳେଷଣ ଏବଂ ବ୍ୟାବହାରିକ ପ୍ରଶିକ୍ଷଣ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏଠାରେ ୧୭,୭୫୨ଟି ସୁରକ୍ଷା ଯାଞ୍ଚ କରାଯାଇଥିବା ବେଳେ ୩୭୯ଟି ଅତି ବିପଦପୂର୍ଣ୍ଣ କାର୍ଯ୍ୟକୁ ବନ୍ଦ କରାଯାଇଛି କିମ୍ବା ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଅଧିକ ସୁରକ୍ଷିତ କରାଯାଇଛି।

ଏହି ସମୟ ମଧ୍ୟରେ ଜରୁରୀକାଳୀନ ପ୍ରତିକ୍ରିୟା ସମୟରେ ୧୫ ପ୍ରତିଶତ ଉନ୍ନତି ଆସିଛି ଏବଂ ଏହାକୁ ୫.୨୫ ମିନିଟ୍‌କୁ ହ୍ରାସ କରାଯାଇଛି। ଏଥିସହ ରାୟପୁର ମେସିନାରୀ ଡିଭିଜନ୍‌ରେ ଏଲ୍‌ଟିଆଇଏଫ୍‌ଆର୍‌ ୦.୦୦ ହାସଲ କରାଯାଇଛି। ଏହା କାର୍ଯ୍ୟସ୍ଥଳରେ ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ଜିନ୍ଦଲ ଷ୍ଟିଲ୍‌ର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏହି ସମ୍ମାନ ଜିନ୍ଦଲ ଷ୍ଟିଲ୍‌ର ନିରନ୍ତର ପ୍ରୟାସ ଓ ପ୍ରତିବଦ୍ଧତାର ସ୍ୱୀକୃତି, ଯାହା ମାଧ୍ୟମରେ କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଅଧିକ ସୁରକ୍ଷିତ, ଦକ୍ଷତାପୂର୍ଣ୍ଣ ଏବଂ ଉନ୍ନତ କାର୍ଯ୍ୟପରିବେଶ ଗଠନ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛି।