ଯୁବପିଢ଼ିଙ୍କୁ ଶୃଙ୍ଖଳିତ କରେ‌ କ୍ରୀଡ଼ା: ଗୋଲକ

ଓଡ଼ିଶା ଷ୍ଟେଟ ସ୍ପିଡ୍ ସ୍କେଟିଂ ଚାମ୍ପିଅନସିପ୍ ୨୦୨୬ ଅନୁଷ୍ଠିତ

ଭୁବନେଶ୍ୱର, ୨୪/୧୦: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଦ୍ଧ ପାର୍କଠାରେ ଆୟୋଜିତ ଚତୁର୍ଥ ଓଡ଼ିଶା ଷ୍ଟେଟ ସ୍ପିଡ୍ ସ୍କେଟିଂ ଚାମ୍ପିଅନସିପ୍ ୨୦୨୬ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଯୋଗଦେଇ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ପୁରସ୍କୃତ କରିଥିଲେ। ଏଥିସହ ସେ ସମସ୍ତ ବିଜୟୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ ପାଇଁ ଶୁଭକାମନା ଜଣାଇଥିଲେ।

ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ପରିଚୟ ନୁହେଁ, ବରଂ ଏହା ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଧୈର୍ଯ୍ୟ, ଆତ୍ମବିଶ୍ୱାସ, ପ୍ରତିଯୋଗିତା ମନୋଭାବ ଓ ଦଳଗତ ଭାବନାକୁ ସୁଦୃଢ଼ କରିଥାଏ। କ୍ରୀଡ଼ା ମାଧ୍ୟମରେ ଯୁବପିଢ଼ି ନିଜର ପ୍ରତିଭାକୁ ପ୍ରତିପାଦିତ କରିବା ସହ ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିପାରିବେ।

ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ କ୍ରୀଡ଼ା ପ୍ରତିଭାର ଅଭାବ ନାହିଁ। ଉପଯୁକ୍ତ ପ୍ରୋତ୍ସାହନ, ଉନ୍ନତ ପ୍ରଶିକ୍ଷଣ ଓ ଆବଶ୍ୟକ ସୁଯୋଗ ମିଳିଲେ ଆମ ରାଜ୍ୟର ଯୁବ କ୍ରୀଡ଼ାବିତ୍‌ମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବେ। ତେଣୁ ପିଲାମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ସମାଜର ସମସ୍ତଙ୍କର ଦାୟିତ୍ୱ।

ବୁଦ୍ଧ ପାର୍କଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସ୍ପିଡ୍ ସ୍କେଟିଂ ଚାମ୍ପିୟନସିପ୍ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ କରିବା ଓ ଆଗାମୀ ଦିନରେ ଉଚ୍ଚତର ସଫଳତା ହାସଲ କରିବା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିଛି।

କ୍ରୀଡ଼ାର ବିକାଶ ଓ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ଏଭଳି ଆୟୋଜନ ନିଶ୍ଚିତ ଭାବେ ଏକ ସକାରାତ୍ମକ ପଦକ୍ଷେପ। ଯୁବ କ୍ରୀଡ଼ାବିତ୍‌ମାନେ ନିଜର ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ବଳରେ ଆଗକୁ ବଢ଼ି ଓଡ଼ିଶାର ଗୌରବ ବୃଦ୍ଧି କରିବେ ବୋଲି ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଥିଲେ।