ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ ରେଳ ନିୟମର କାର୍ଯ୍ୟକାରୀ ଅନୁପାଳନକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ

ଯାତ୍ରୀ ସୁରକ୍ଷା, ଶୃଙ୍ଖଳା ଓ ଉନ୍ନତ ଯାତ୍ରା ଅନୁଭୂତି ପାଇଁ ୧୯ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରୁ ୧ କୋଟିରୁ ଅଧିକ ଟଙ୍କା ଜୋରିମନା ଆଦାୟ

ଭୁବନେଶ୍ୱର, ୨୪/୧୦: ପୂର୍ବ ତଟ ରେଳପଥ ଯାତ୍ରୀ ସୁରକ୍ଷା, ଜନସାଧାରଣଙ୍କ ସୁବିଧା, ପରିଚ୍ଛନ୍ନତା ଏବଂ ରେଳବାଇ ପରିସରରେ ଦାୟିତ୍ୱପୂର୍ଣ୍ଣ ଆଚରଣକୁ ସୁନିଶ୍ଚିତ କରିବା ଦିଗରେ ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ ରେଳ ନିୟମର ଅନୁପାଳନକୁ ଅଧିକ ସୁଦୃଢ଼ କରିଛି। ୧୯ ଜୁନ୍ ୨୦୨୬ ଠାରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ପୂର୍ବ ତଟ ରେଳପଥ ପକ୍ଷରୁ ୧୯,୩୮୮ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରୁ ରେଳବାଇ ଅଧିନିୟମ, ୧୯୮୯ର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ମୋଟ ୧,୦୦,୬୮,୧୨୫ ଟଙ୍କା (ଏକ କୋଟିରୁ ଅଧିକ ଟଙ୍କା) ଜୋରିମନା ଆଦାୟ କରାଯାଇଛି।

ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ ରେଳବାଇ ଅଧିନିୟମ, ୧୯୮୯ର ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ସଂଶୋଧିତ ଦଣ୍ଡବିଧାନ ବ୍ୟବସ୍ଥା ମାଧ୍ୟମରେ ନିୟମ ପାଳନକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ। ଏହି ବ୍ୟବସ୍ଥା ଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ପୂର୍ବ ତଟ ରେଳପଥ ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା, ରେଳବାଇ ପରିସରରେ ଶୃଙ୍ଖଳିତ ଯାତାୟାତ ସୁନିଶ୍ଚିତ କରିବା ଏବଂ ଯାତ୍ରୀମାନଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ପଦକ୍ଷେପ ନେଉଛି।

ଏହି ଅଭିଯାନରେ ବେଆଇନ ଭାବେ ହକର କରିବା ଓ ସାମଗ୍ରୀ ବିକ୍ରୟ କରିବା, ରେଳବାଇ ପରିସରରେ ଅନଧିକୃତ ପ୍ରବେଶ ଓ ଅନଧିକୃତ ଭାବେ ରହିବା, ରେଳ କର୍ମଚାରୀଙ୍କ ଆଇନସମ୍ମତ ନିର୍ଦ୍ଦେଶ ଅବମାନନା କରିବା, ଅନ୍ୟ ବ୍ୟକ୍ତିଙ୍କ ନାମରେ ବୁକ୍ ହୋଇଥିବା ଟିକେଟ୍‌ରେ ଅନଧିକୃତ ଭାବେ ଯାତ୍ରା କରିବା ଏବଂ ମହିଳାଙ୍କ ପାଇଁ ସଂରକ୍ଷିତ ସ୍ଥାନରେ ଅନଧିକୃତ ଭାବେ ପ୍ରବେଶ କରିବା ଭଳି ବିଭିନ୍ନ ନିୟମ ଉଲ୍ଲଂଘନ ବିରୋଧରେ ପଦକ୍ଷେପ ନିଆଯାଇଛି।

ଏହି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସର୍ବାଧିକ ୧୪,୯୯୨ ଜଣଙ୍କୁ ଯାତ୍ରୀ ଅଞ୍ଚଳରେ ଅନଧିକୃତ ପ୍ରବେଶ, ରେଳବାଇ ପରିସରର ଅପବ୍ୟବହାର ଏବଂ ପରିସର ଛାଡ଼ିବାକୁ ମନା କରିବା ଅଭିଯୋଗ ମାମଲାଗୁଡ଼ିକରେ ୭୫,୦୫,୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ରେଳବାଇ ପରିସରକୁ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ସୁଗମ ରଖିବା ଦିଗରେ ଏହା ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି।

ସେହିପରି, ରେଳବାଇ ପରିସରରେ ବେଆଇନ ଭାବେ ହକର କରିବା, ସାମଗ୍ରୀ ବିକ୍ରୟ କରିବା କିମ୍ବା ଗ୍ରାହକ ଆକୃଷ୍ଟ କରିବା ଅଭିଯୋଗରେ ୧୬୯ ଙ୍କଠାରୁ ୩,୨୭,୫୦୦ ଟଙ୍କା ଜୋରିମନା ଆଦାୟ ହୋଇଛି। ଏହି ପଦକ୍ଷେପ ରେଳବାଇ ପରିସରରେ ଯାତ୍ରୀ ସୁବିଧା ବଜାୟ ରଖିବା ସହ ଅନଧିକୃତ ବାଣିଜ୍ୟିକ କାର୍ଯ୍ୟକଳାପକୁ ବନ୍ଦ କରିବାରେ ସହାୟକ ହେଉଛି।

ରେଳବାଇ ପରିସରରେ ଯାନବାହନ ଚାଳକ ଓ ପରିଚାଳକମାନେ ଯୁକ୍ତିସଙ୍ଗତ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ୪,୧୧୭ ଜଣଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି। ଏହି ବାବଦରେ ୨୦,୫୮,୨୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ଏହା ରେଳବାଇ ପରିସରରେ ଯାନବାହନ ଚଳାଚଳକୁ ସୁଗମ କରିବା ଏବଂ ଟ୍ରାଫିକ୍ ଶୃଙ୍ଖଳା ବଜାୟ ରଖିବାରେ ସହାୟକ ହେଉଛି।

ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଯାତ୍ରୀଙ୍କ ବ୍ୟବହାର ପାଇଁ କୌଣସି ବର୍ଥ କିମ୍ବା ସିଟ୍ ସଂରକ୍ଷିତ ନଥିବା କମ୍ପାର୍ଟମେଣ୍ଟରେ ଅନଧିକୃତ ପ୍ରବେଶ ସମ୍ପର୍କିତ ୫୯ଟି ମାମଲାରେ ୮୧,୦୦୦ ଟଙ୍କା ଜୋରିମନା ଆଦାୟ କରାଯାଇଛି। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ କମ୍ପାର୍ଟମେଣ୍ଟ, ବର୍ଥ, ସିଟ୍ କିମ୍ବା ଅନ୍ୟ ସ୍ଥାନରେ ବେଆଇନ ଭାବେ ପ୍ରବେଶ କିମ୍ବା ରହିବା ଅଭିଯୋଗରେ ୧୩ ଜଣଙ୍କଠାରୁ ୩୧,୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ଅନ୍ୟ ବ୍ୟକ୍ତିଙ୍କ ନାମରେ ବୁକ୍ ହୋଇଥିବା ଟିକେଟ୍‌ରେ ବିନା ଅନୁମତିରେ ଯାତ୍ରା କରିବା ଅଭିଯୋଗରେ ୬ ଜଣଙ୍କ ବିରୋଧରେ ପଦକ୍ଷେପ ନିଆଯାଇ ୩,୦୦୦ ଟଙ୍କା ଜୋରିମନା ଆଦାୟ ହୋଇଛି।

ଏହା ବ୍ୟତୀତ, ରେଳବାଇକୁ ଠକିବା ଉଦ୍ଦେଶ୍ୟରେ ବୈଧ ଟିକେଟ୍ କିମ୍ବା ପାସ୍ ବିନା ଯାତ୍ରା କରିବା କିମ୍ବା ଏପରି ଯାତ୍ରା କରିବାକୁ ଉଦ୍ୟମ କରିବା ଅଭିଯୋଗରେ ୫,୩୨୫ ଟଙ୍କା ଜୋରିମନା ଆଦାୟ କରାଯାଇଛି। ରେଳବାଇ ପକ୍ଷରୁ ପ୍ରଦର୍ଶିତ ସାର୍ବଜନୀନ ବିଜ୍ଞପ୍ତି, ବୋର୍ଡ କିମ୍ବା ଦଲିଲକୁ ବେଆଇନ ଭାବେ ହଟାଇବା କିମ୍ବା ଜାଣିଶୁଣି ନଷ୍ଟ କରିବା ସମ୍ପର୍କିତ ଗୋଟିଏ ମାମଲାରେ ୨,୦୦୦ ଟଙ୍କା ଜୋରିମନା ଆଦାୟ ହୋଇଛି। ସେହିପରି, ଅନ୍ୟ ଯାତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା ଭାବେ ଟ୍ରେନ୍‌ର କମ୍ପାର୍ଟମେଣ୍ଟରେ ଧୂମପାନ କରିବା ସମ୍ପର୍କିତ ୨୮ଟି ମାମଲାରେ ୫୪,୫୦୦ ଟଙ୍କା ଜୋରିମନା ଆଦାୟ କରାଯାଇଛି।

ଏହି ସମସ୍ତ ପଦକ୍ଷେପ ରେଳବାଇ ଅଧିନିୟମ, ୧୯୮୯ରେ ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଅନୁଯାୟୀ କରାଯାଇଥିବା ସଂଶୋଧନର ପ୍ରଯୁଜ୍ୟ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି। ନିୟମାନୁବର୍ତ୍ତିତାକୁ ପ୍ରୋତ୍ସାହନ, ଯାତ୍ରୀଙ୍କ ଅଧିକାରର ସୁରକ୍ଷା, ଜନଶୃଙ୍ଖଳା ବଜାୟ ରଖିବା ଏବଂ ରେଳବାଇ ସୁବିଧାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବା ଏହି ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ।

ପୂର୍ବ ତଟ ରେଳପଥ ଯାତ୍ରୀ ଓ ସାଧାରଣ ଜନତାଙ୍କୁ ବୈଧ ଟିକେଟ୍ କ୍ରୟ କରି ଯାତ୍ରା କରିବା, ସଂରକ୍ଷିତ ସ୍ଥାନର ନିୟମ ପାଳନ କରିବା, ରେଳ ଧାରଣା ଓ ରେଳବାଇ ପରିସରରେ ଅନଧିକୃତ ପ୍ରବେଶରୁ ଦୂରେଇ ରହିବା, ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ନକରିବା, ରେଳ କର୍ମଚାରୀଙ୍କ ଆଇନସମ୍ମତ ନିର୍ଦ୍ଦେଶ ପାଳନ କରିବା ଏବଂ ରେଳବାଇ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଛି। ଏଥିସହ ପରିଚ୍ଛନ୍ନତା ବଜାୟ ରଖିବା, ନିଷିଦ୍ଧ ସ୍ଥାନରେ ଧୂମପାନ ନକରିବା ଏବଂ ରେଳବାଇ ସମ୍ପତ୍ତିର ସୁରକ୍ଷା କରିବାକୁ ମଧ୍ୟ ଯାତ୍ରୀମାନଙ୍କୁ ଆହ୍ୱାନ କରାଯାଉଛି।

ପ୍ରଭାବଶାଳୀ ନିୟମ ପ୍ରବର୍ତ୍ତନ, ଜନସଚେତନତା ଏବଂ ସାମୂହିକ ଦାୟିତ୍ୱବୋଧ ମାଧ୍ୟମରେ ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ଯାତ୍ରୀ ଅନୁକୂଳ ରେଳ ପରିବେଶ ଯୋଗାଇଦେବା ପାଇଁ ପୂର୍ବ ତଟ ରେଳପଥ ପ୍ରତିବଦ୍ଧ।