ଅଜଣା ଟ୍ରକ୍ ଧକ୍କାରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ
୧୮ବର୍ଷୀୟ ଅଜୟଙ୍କ ଅକାଳ ମୃତ୍ୟୁ, ଧକ୍କା ଦେଇ ପଳାଇଲା ଟ୍ରକ୍
ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣାସ୍ଥିତ ଡିକେଡିଏ କାର୍ଯ୍ୟାଳୟ ନିକଟରେ ନୂତନ ନିର୍ମାଣାଧୀନ ପାଣିଟାଙ୍କି ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନର୍ସିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତ ଅନ୍ତର୍ଗତ ବରିପାଇ ଗ୍ରାମର ରାମଚନ୍ଦ୍ର ବେନିଆଙ୍କ ପୁଅ ଅଜୟ ବେନିଆ (୧୮) ବୋଲି ଜଣାପଡ଼ିଛି। ତାଙ୍କ ଅକାଳ ମୃତ୍ୟୁରେ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ ଅଜୟ ବିଷମକଟକରୁ ନିଜ ଗାଁ ଅଭିମୁଖେ ବାଇକ୍ ଯୋଗେ ଫେରୁଥିବା ବେଳେ ଚାଟିକଣା ଡିକେଡିଏ କାର୍ଯ୍ୟାଳୟ ନିକଟ ନୂତନ ପାଣିଟାଙ୍କି ସମ୍ମୁଖରେ ଏକ ଅଜଣା ଟ୍ରକ୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ ଅଜୟ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ଟି ଘଟଣାସ୍ଥଳରୁ ପଳାଇଯାଇଥିବା ସୂଚନା ମିଳିଛି। ମୃତ ଅଜୟ ଖ୍ରୀଷ୍ଟିଆନ ମେଡିକାଲରେ ବି.ଏସ୍ସି ନର୍ସିଂ ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ବାଇକ୍ର ପଞ୍ଜୀକରଣ ନମ୍ବର ଓଡି ୦୭ ପି ୪୬୬୩ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ବିଷମକଟକ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ ପରିସରରେ ଥିବା ସବାଗାରରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ରାସ୍ତା ଅବରୋଧ ହୋଇଥିବା କୁହାଯାଉଛି। ଦୁର୍ଘଟଣା ଘଟାଇଥିବା ଅଜଣା ଟ୍ରକ୍କୁ ଚିହ୍ନଟ କରିବା ସହ ଚାଳକଙ୍କୁ ଧରିବା ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।