ନରାଜରେ ଆଦାନୀ ଏଆଇ ଡାଟା ସେଣ୍ଟର ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନାଙ୍କ ଦାବି

ବିଦ୍ୟୁତ, ଜଳ ବ୍ୟବହାର, ନିଯୁକ୍ତି ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର, ୨୪/୧୦: କଟକ ନିକଟ ନରାଜରେ ପ୍ରସ୍ତାବିତ ଆଦାନୀ ସଂପୃକ୍ତ ଏଆଇ ଡାଟା ସେଣ୍ଟର ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ଶ୍ରୀକାନ୍ତ ଜେନା। ଏହି ପ୍ରକଳ୍ପରେ ବିପୁଳ ପରିମାଣର ବିଦ୍ୟୁତ ଓ ଜଳ ଆବଶ୍ୟକତା, ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ଏବଂ ପରିବେଶ ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରକଳ୍ପର ସମସ୍ତ ଚୁକ୍ତି, ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟବସ୍ଥା ଏବଂ ରିହାତି ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି।

ଚିଠିରେ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆବୁଧାବି ଗସ୍ତ ପରେ ୨୦୨୬ ସେପ୍ଟେମ୍ବର ୨୩ ତାରିଖରେ ଅନୁଷ୍ଠିତ ୪୬ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (HLCA) ବୈଠକରେ ୨.୪୭ ଲକ୍ଷ କୋଟି ଟଙ୍କାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଏଥିରେ ନରାଜରେ ଆଦାନୀ ସଂପୃକ୍ତ ହାଇ ଡେନସିଟି ଡାଟା ସେଣ୍ଟର ଲିମିଟେଡ୍‌ର ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟ ରହିଛି। ଏହି ପ୍ରକଳ୍ପରେ ୧.୦୪ ଲକ୍ଷ କୋଟି ଟଙ୍କା ନିବେଶ, ୧ ଗିଗାୱାଟ୍‌ ବା ୧୦୦୦ ମେଗାୱାଟ୍‌ କ୍ଷମତା ଏବଂ ପ୍ରାୟ ୨୫୦ ଏକର ଜମିର ଆବଶ୍ୟକତା ଥିବା ଚିଠିରେ ଦର୍ଶାଯାଇଛି।

ତେବେ ପ୍ରକଳ୍ପର ଏମ୍‌ଓୟୁ, ବିସ୍ତୃତ ଚୁକ୍ତିନାମା ଓ HLCA ବୈଠକର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ ହୋଇନଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ବିଶେଷକରି ବିଦ୍ୟୁତ ଯୋଗାଣ, ଜଳ ବ୍ୟବହାର, ପରିବେଶ ପ୍ରଭାବ ଆକଳନ ଏବଂ କମ୍ପାନୀକୁ ଦିଆଯିବାକୁ ଥିବା ଟିକସ ରିହାତି ସମ୍ପର୍କରେ ସ୍ପଷ୍ଟ ତଥ୍ୟ ରଖିବାକୁ ସେ ଦାବି କରିଛନ୍ତି।

ବିଦ୍ୟୁତ ବ୍ୟବହାରକୁ ନେଇ ଶ୍ରୀ ଜେନା କହିଛନ୍ତି ଯେ, ୧୦୦୦ ମେଗାୱାଟ୍‌ କ୍ଷମତାର ଡାଟା ସେଣ୍ଟର ପୂର୍ଣ୍ଣ କ୍ଷମତାରେ ଚାଲିଲେ ଦୈନିକ ପ୍ରାୟ ୨.୪ କୋଟି ୟୁନିଟ୍‌ ବିଦ୍ୟୁତ ଆବଶ୍ୟକ ହୋଇପାରେ। ଏତେ ପରିମାଣର ବିଦ୍ୟୁତ କେଉଁଠାରୁ ଆସିବ ଏବଂ ଏଥିପାଇଁ କୋଇଲାଭିତ୍ତିକ ବିଦ୍ୟୁତ ଉପରେ ନିର୍ଭର କରାଗଲେ ରାଜ୍ୟର ପରିବେଶ ଉପରେ କି ପ୍ରଭାବ ପଡ଼ିବ, ସେ ନେଇ ସେ ପ୍ରଶ୍ନ କରିଛନ୍ତି। ଏହା ସହ ପ୍ରକଳ୍ପକୁ ମାଗଣା ଜମି, ଜଳ, ୟୁନିଟ୍‌ ପିଛା ଏକ ଟଙ୍କାରେ ବିଦ୍ୟୁତ କିମ୍ବା ୨୦ ବର୍ଷର ଟିକସ ଛାଡ଼ ଭଳି ସୁବିଧା ଦିଆଯିବ କି ନାହିଁ, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।

ଜଳର ଆବଶ୍ୟକତାକୁ ନେଇ ସେ କହିଛନ୍ତି ଯେ, ପ୍ରସ୍ତାବିତ ଡାଟା ସେଣ୍ଟର ପାଇଁ ଦୈନିକ ପ୍ରାୟ ୩ କୋଟି ଲିଟର ବା ୩୦ ଏମ୍‌ଏଲ୍‌ଡି ଜଳ ଆବଶ୍ୟକ ହୋଇପାରେ। ଭୁବନେଶ୍ୱରରେ ପୂର୍ବରୁ ଜଳ ଯୋଗାଣରେ ଅଭାବ ରହିଥିବା ଏବଂ ଅତ୍ୟଧିକ ଭୂତଳ ଜଳ ଉତ୍ତୋଳନ ଯୋଗୁଁ ଜଳସ୍ତର ହ୍ରାସ ପାଉଥିବା ପରିସ୍ଥିତିରେ ଏତେ ପରିମାଣର ଜଳ କେଉଁଠାରୁ ଯୋଗାଇ ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ଜଳ ଆବଶ୍ୟକତା କିପରି ପୂରଣ ହେବ ବୋଲି ପ୍ରଶ୍ନ କରିଛନ୍ତି।

ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ଉଠାଇ ଶ୍ରୀ ଜେନା କହିଛନ୍ତି ଯେ, ୧.୦୪ ଲକ୍ଷ କୋଟି ଟଙ୍କାର ନିବେଶରେ ପ୍ରାୟ ୧୦୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରକଳ୍ପରେ ଆକଳନ କରାଯାଇଥିବା ସେ ଦର୍ଶାଇଛନ୍ତି। ଡାଟା ସେଣ୍ଟରରେ ସ୍ଥାୟୀ ନିଯୁକ୍ତିର ସଂଖ୍ୟା ସୀମିତ ରହିପାରେ। ଓଡ଼ିଶାରେ ବେକାରୀ ଓ ଜୀବିକା ପାଇଁ ଅନ୍ୟ ରାଜ୍ୟକୁ ଯିବା ସମସ୍ୟା ଥିବା ବେଳେ କମ୍‌ ନିବେଶରେ ଅଧିକ ନିଯୁକ୍ତି ଦେଇପାରୁଥିବା ପୋଷାକ ଉତ୍ପାଦନ ଶିଳ୍ପ ଭଳି କ୍ଷେତ୍ରକୁ କାହିଁକି ପ୍ରାଥମିକତା ଦିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ତାମିଲନାଡୁର ତିରୁପୁର ଭଳି ପୋଷାକ ଶିଳ୍ପ କେନ୍ଦ୍ର ଓଡ଼ିଶାରେ ଗଢ଼ିବାର ସମ୍ଭାବନା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସେହିପରି ଡାଟା ସେଣ୍ଟରରୁ ନିର୍ଗତ ଉତ୍ତାପ, ଶବ୍ଦ ଓ ବାୟୁ ପ୍ରଦୂଷଣ ସହ ଅଧିକ ଜଳ ବ୍ୟବହାର ସ୍ଥାନୀୟ ପରିବେଶ, ଜୈବ ବିବିଧତା ଏବଂ ଜନଜୀବନକୁ ପ୍ରଭାବିତ କରିପାରେ ବୋଲି ସେ ଆଶଙ୍କା କରିଛନ୍ତି।

ଓଡ଼ିଶାରେ ଶିଳ୍ପ ନିବେଶର ଲକ୍ଷ୍ୟ କେବଳ ବଡ଼ ପୁଞ୍ଜିନିବେଶ ନୁହେଁ; ଏହା ସହ ଅଧିକ ନିଯୁକ୍ତି, ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ଦୀର୍ଘକାଳୀନ ଜନହିତକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ଜେନା।