ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଆହତ

ବିରିଡା ବୁଲାଣି ନିକଟରେ ଦୁର୍ଘଟଣା, ଜଣେ ଗୁରୁତର ରାୟଗଡ଼ା ସ୍ଥାନାନ୍ତର

କଲ୍ୟାଣସିଂହପୁର, ୦୫/୧୧ (ନି ପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ଅନ୍ତର୍ଗତ ବିରିଡା ଗାଁ ବୁଲାଣି ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କାରେ ଦୁଇଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାୟଗଡ଼ା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ସିକରପାଇ ପଞ୍ଚାୟତ ବରିପାଇ ଗ୍ରାମର ସୋନା କାଡ୍ରାକାଙ୍କ ପୁଅ ବୁର୍ଷା କାଡ୍ରାକା ନିଜ ଗାଁରୁ କୌଣସି କାମରେ ସିକରପାଇ ଅଭିମୁଖେ ନିଜ ବାଇକ୍‌ ଯୋଗେ ଯାଉଥିଲେ। ଅନ୍ୟପଟେ ସୁନାଖଣ୍ଡି ପଞ୍ଚାୟତ ବଡ଼ ଲିଟିପୋଲି ଗ୍ରାମର ଜାଗମା ହିକକାଙ୍କ ପୁଅ ଅଶୋକ ହିକକା ସେରିଗୁମା ଅଭିମୁଖେ ଯାଉଥିଲେ। ଏହି ସମୟରେ ବିରିଡା ଗାଁର ବୁଲାଣି ନିକଟରେ ଉଭୟଙ୍କ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଭୟ ରାସ୍ତା ଉପରେ ଆହତ ଅବସ୍ଥାରେ ପଡ଼ିରହିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ କଲ୍ୟାଣସିଂହପୁର ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ଉଭୟଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ କାର୍ଯ୍ୟରତ ଡାକ୍ତର ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ ବୁର୍ଷା କାଡ୍ରାକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ରାୟଗଡ଼ା ମୁଖ୍ୟ କାର୍ଯ୍ୟଳୟ କୁ ସ୍ଥାନାନ୍ତର କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଜଣାପଡ଼ିଛି।

ବୁଲାଣି ରାସ୍ତାରେ ସତର୍କତା ଅଭାବ ଓ ଦ୍ରୁତଗତି ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବାରୁ ଏହି ଅଞ୍ଚଳରେ ଯାତାୟାତ ସମୟରେ ସତର୍କ ରହିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।