ଚାନ୍ଦିପୁର, ୦୬/୧୧: ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ‘ପ୍ରଳୟ’ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)। ଗୁରୁବାର ରାତି ପ୍ରାୟ ୧୧ଟା ୧୦ ମିନିଟ୍ରେ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ କରାଯାଇଥିଲା।
ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର) ପକ୍ଷରୁ ନିୟୋଜିତ ବିଭିନ୍ନ ରେଞ୍ଜ ଯନ୍ତ୍ରପାତିରୁ ମିଳିଥିବା ତଥ୍ୟ ଆଧାରରେ ପରୀକ୍ଷଣର ସଫଳତା ନିଶ୍ଚିତ ହୋଇଛି। ଏହି ପରୀକ୍ଷଣ କେବଳ କ୍ଷେପଣାସ୍ତ୍ରର ବୈଷୟିକ କ୍ଷମତା ଯାଞ୍ଚ ପାଇଁ ନୁହେଁ, ବରଂ ସେନାରେ ବ୍ୟବହାର ପାଇଁ ଏହା କେତେ ଉପଯୋଗୀ ଓ ଭରସାଯୋଗ୍ୟ, ତାହା ମୂଲ୍ୟାଙ୍କନ କରିବା ପାଇଁ ମଧ୍ୟ କରାଯାଇଥିଲା। ଏହାକୁ ୟୁଜର ଇଭାଲୁଏସନ୍ ଟ୍ରାଏଲ୍ କୁହାଯାଏ। ଅର୍ଥାତ୍, ସେନାରେ ସାମିଲ କରିବା ପୂର୍ବରୁ କ୍ଷେପଣାସ୍ତ୍ରଟି ଆବଶ୍ୟକ ମାନଦଣ୍ଡ ପୂରଣ କରୁଛି କି ନାହିଁ, ତାହା ଏହି ପରୀକ୍ଷଣ ମାଧ୍ୟମରେ ଯାଞ୍ଚ କରାଯାଏ।
ପ୍ରଳୟ ହେଉଛି ଭାରତରେ ବିକଶିତ ଏକ ସ୍ୱଳ୍ପଦୂରଗାମୀ, ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହାର ବିକାଶ ହାଇଦ୍ରାବାଦସ୍ଥିତ ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଦ୍ୱାରା ଡିଆରଡିଓର ଅନ୍ୟାନ୍ୟ ପରୀକ୍ଷାଗାରର ସହଯୋଗରେ କରାଯାଇଛି। ଏହାର ଉତ୍ପାଦନରେ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ଭାରତ ଡାଇନାମିକ୍ସ ଲିମିଟେଡ୍ (ବିଡିଏଲ) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର ରହିଛି।
ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୫୦ରୁ ୫୦୦ କିଲୋମିଟର ମଧ୍ୟରେ ରହିଛି। ଏହାର ପେଲୋଡ୍ କ୍ଷମତା ୫୦୦ ରୁ ୧,୦୦୦ କିଲୋଗ୍ରାମ। ଏହା ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଠାରୁ ଭିନ୍ନ ଧରଣର ଉଡ଼ାଣ ପ୍ରଣାଳୀ ବ୍ୟବହାର କରୁଥିବାରୁ ଏହାକୁ କ୍ୱାସି-ବାଲିଷ୍ଟିକ୍ କୁହାଯାଉଛି।
ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ସଶସ୍ତ୍ର ବାହିନୀ ଏବଂ ଏହାର ନିର୍ମାଣରେ ସହଯୋଗ କରିଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।
ସେହିପରି ପ୍ରତିରକ୍ଷା ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ରାଜେଶ କୁମାର ସିଂ ମଧ୍ୟ ଏହି ପରୀକ୍ଷଣ ସହ ଜଡ଼ିତ ବୈଜ୍ଞାନିକ ଓ ଅନ୍ୟ ସମସ୍ତ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି।