ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତୁମାଣ୍ଡିରେ “ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ” ପାଳିତ

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶପଲ୍ଲା, ୦୬/୧୧: ଓଡ଼ିଶା ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗାଧୀନ ପରିବେଶ ଅଧ୍ୟୟନ କେନ୍ଦ୍ର (ସିଇସି) ଆନୁକୂଲ୍ୟରେ ତଥା ଇକୋକ୍ଲବ ଏବଂ ଏନର୍ଜି କ୍ଲବର ପଦକ୍ଷେପ କ୍ରମେ ବିଦ୍ୟାଳୟଗୁଡ଼ିକରେ ନଭେମ୍ବର ୧ ତାରିଖରୁ “ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ” ପାଳନ କରାଯାଉଛି। ଏହି କ୍ରମରେ ନୟାଗଡ଼ ଶିକ୍ଷା ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ତୁମାଣ୍ଡିଠାରେ ଏକାଧିକ ସଚେତନତାମୂଳକ କାର୍ଯ୍ୟକ୍ରମ ଆକର୍ଷଣୀୟ ଭାବେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ନାରାୟଣ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ସୁସ୍ଥ ଜୀବନ ଶୈଳୀ, ସ୍ଥାୟୀ ଖାଦ୍ୟ ପ୍ରଣାଳୀ, ଆବର୍ଜନା ହ୍ରାସ, ଜଳ ସଂରକ୍ଷଣ, ଶକ୍ତି ସଂରକ୍ଷଣ ଏବଂ ପ୍ଲାଷ୍ଟିକ ବାରଣ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇଥିଲା।ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ପରିକ୍ରମା କରିବା ସହ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀ ଆପଣାଇବା ନିମନ୍ତେ ବାର୍ତ୍ତା ବାଣ୍ଟିଥିଲା। ଏହାବ୍ୟତୀତ ସଚେତନତା ସଭାମାନ ଆୟୋଜିତ ହୋଇ ପରିବେଶ ପ୍ରତି ଆମର ଦାୟିତ୍ୱ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସଫଳ ଆୟୋଜନ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି।