ପାୟଲ ନାଗଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ
କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଏବଂ ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟଙ୍କ ଦ୍ୱାରା ପାୟଲ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧୧/୧୧: ଓଡ଼ିଶାର ପାରା କ୍ରୀଡ଼ାବିତ୍ ପାୟଲ ନାଗଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।
୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ମହିଳା ପାରା କମ୍ପାଉଣ୍ଡ ଡବଲ୍ସ ବର୍ଗରେ ପାରା ତୀରନ୍ଦାଜ ପାୟଲ ନାଗ ରୌପ୍ୟ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ଆଜି କଳିଙ୍ଗ ଷ୍ଟାଡ଼ିୟମ୍ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଏବଂ ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ ପାୟଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି ଯେ, ୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ପାୟଲ ନାଗ ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ପାୟଲଙ୍କ ଏହି ସଫଳତା ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍ଙ୍କୁ ପ୍ରେରଣା ପ୍ରଦାନ କରିଛି। ପାୟଲଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିରନ୍ତର ଭାବେ କାର୍ଯ୍ୟ କରାଯାଉଛି ବୋଲି ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ମତପ୍ରକାଶ କରିଛନ୍ତି।