ନଭେମ୍ବର ୧୧ ରୁ ୨୨ ପର୍ଯ୍ୟନ୍ତ ପାଳନ ହେବ ‘ଜନଜାତୀୟ ଗୌରବ ଦିବସ’

ନଭେମ୍ବର ୧୫ରେ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମଜୟନ୍ତୀ, ୨୨ରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜନ୍ମଜୟନ୍ତୀ ପାଳନ କରିବ ବିଜେପି

ଆଦିବାସୀ ସମାଜ ଭୋଟ୍ ବ୍ୟାଙ୍କ ନୁହେଁ, ଭାରତର ଆତ୍ମା: କାନ୍ଦ୍ରା ସୋରେନ

ଭୁବନେଶ୍ୱର, ୧୧/୧୧: ଆସନ୍ତା ନଭେମ୍ବର ୧୫ରେ ମହାନ ସ୍ୱାଧୀନତା ସଂଗ୍ରାମୀ ‘ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଏବଂ ୨୨ରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜନ୍ମଜୟନ୍ତୀ ପାଳନ କରିବ ବିଜେପି । ଏହି ଅବସରରେ ନଭେମ୍ବର ୧୧ ରୁ ୨୨ ପର୍ଯ୍ୟନ୍ତ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିତ ହେବାକୁ ଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନଙ୍କ ମାର୍ଗଦର୍ଶନରେ ଭାରତୀୟ ଜନତା ପାର୍ଟି ନଭେମ୍ବର ୧୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଆଦିବାସୀ ବହୁଳ ଜିଲ୍ଲା, ବିଧାନସଭା ନିର୍ବାଚନମଣ୍ଡଳୀରେ ‘ଜନଜାତୀୟ ଗୌରବ ଦିବସ’ ପାଳନ କରୁଛି ବୋଲି ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମଗୁଡ଼ିକର ବିସ୍ତୃତ ସୂଚନା ଦିଆଯିବା ସହ ଆଦିବାସୀ ସମାଜର କଲ୍ୟାଣ ପାଇଁ ହୋଇଥିବା ଐତିହାସିକ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରାଯାଇଛି। ୧୮୭୫ ମସିହା ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଉଲିହାତୁଠାରେ ଜନ୍ମଗ୍ରହଣ କରିଥିବା ଭଗବାନ ବିର୍ସା ମୁଣ୍ଡା ବ୍ରିଟିଶ ଶୋଷଣ ବିରୁଦ୍ଧରେ ଆଦିବାସୀମାନଙ୍କୁ ଏକତ୍ରିତ କରି ‘ଉଲଗୁଲାନ୍‌’ (ମହାବିଦ୍ରୋହ)ର ନେତୃତ୍ୱ ନେଇଥିଲେ ଏବଂ “ଆବୁଆ ଦିସମ୍ ଆବୁଆ ରାଜ”ର ନାରା ଦେଇଥିଲେ। ଜଳ, ଜଙ୍ଗଲ, ଜମି ଓ ଆଦିବାସୀ ସ୍ୱାଭିମାନର ସୁରକ୍ଷା ପାଇଁ ମାତ୍ର ୨୫ ବର୍ଷ ବୟସରେ ସେ ଶହୀଦ ହୋଇଥିଲେ। ତାଙ୍କରି ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦୀ ସରକାର ତାଙ୍କ ଜନ୍ମଜୟନ୍ତୀକୁ ‘ଆଦିବାସୀ ଗୌରବ ଦିବସ’ ଭାବେ ଘୋଷଣା କରୁଛନ୍ତି ବୋଲି ଶ୍ରୀ ସୋରେନ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଦେଶର ୭୫ଟି ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (ପିଭିଟିଜି) ଙ୍କ ବିକାଶ ପାଇଁ ପିଏମ୍‌-ଜନମନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ୪.୮୨ ଲକ୍ଷ ଗୃହ ସ୍ୱୀକୃତି, ୭୯୯୨ କିମି ରାସ୍ତା ନିର୍ମାଣ ଏବଂ ୧.୩୫ ଲକ୍ଷରୁ ଉର୍ଦ୍ଧ୍ୱ ଘରକୁ ବିଜୁଳି ସଂଯୋଗୀକରଣ ସରିଛି। ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ ୭୯.୧୫୬ କୋଟି ଅଟକଳରେ ୬୩,୦୦୦ ଗ୍ରାମର ୫ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀ ଜନଜାତିଙ୍କ ନିକଟରେ ୧୭ଟି ମନ୍ତ୍ରାଳୟର ଯୋଜନା ଏକକାଳୀନ ପହଞ୍ଚାଯାଉଛି। ଗୁଣାତ୍ମକ ଶିକ୍ଷା ପାଇଁ ୭୨୮ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସ୍ଥାପନ ହେଉଛି। ୩,୯୫୮ ବନଧନ କେନ୍ଦ୍ର ଜରିଆରେ ୧୧.୮୩ ଲକ୍ଷ ଲୋକ ଜୀବିକା ସହ ଯୋଡ଼ି ହୋଇଛନ୍ତି। ୨୦୧୪-୧୫ରେ ଜନଜାତି ମନ୍ତ୍ରାଳୟର ବଜେଟ୍ ୪,୪୯୭.୯୬ କୋଟି ଥିବା ବେଳେ ୨୦୨୫-୨୬ରେ ତାହା ୨୩୧% ବୃଦ୍ଧି ପାଇ ୧୪,୯୨୬ କୋଟିରେ ପହଞ୍ଚିଛି।

୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ ସ୍ୱତନ୍ତ୍ର ଆଦିବାସୀ ମନ୍ତ୍ରାଳୟ ଗଠନ ହୋଇଥିଲା। ମୋଦୀ ସରକାରଙ୍କ ସମୟରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତି ଭାବେ ଅଭିଷିକ୍ତ ହୋଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଏ ଏବଂ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁ ଆଦିବାସୀ ସମାଜର ପ୍ରତିନିଧିତ୍ୱ କରୁଛନ୍ତି। ଜାମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ୯ଟି ଅନୁସୂଚିତ ଜନଜାତି ସଂରକ୍ଷିତ ବିଧାନସଭା ଆସନ ସୃଷ୍ଟି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ।

ଓଡ଼ିଶାର ୧୨ଟି ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାରେ ପାର୍ଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟର ୨୩ଟି ଆଇଟିଡିଏ ବ୍ଲକରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ଷମ ଅଛି। ନଭେମ୍ବର ୧୧ – ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜନଜାତୀୟ ଗୌରବ ସପ୍ତାହ କାର୍ଯ୍ୟକ୍ରମ ସୂଚୀ ସଂପର୍କରେ ସୁଚନା ଦେଇ ଶ୍ରୀ କାନ୍ଦ୍ରା କହିଛନ୍ତି ଯେ, ଏଥିସହିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକ ଜନ୍ମ ଜୟନ୍ତୀ ମଧ୍ୟ ନିଷ୍ଠାର ସହ ପାଳିତ ହେବ। ୧୨ ନଭେମ୍ବର ୧୨ ତାରିଖ ଦିନ ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୦ଟି ଏକଲବ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପିଭିଟିଜି ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ନଭେମ୍ବର ୧୨ ଓ ୧୩, ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଜନଜାତି ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ସଂସଦ ଭବନ ଓ ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳୀ ଉଲିହାତୁରେ ୧୫ ତାରିଖ ଦିନ ପୁଷ୍ପାଞ୍ଜଳି ଅର୍ପଣ କରାଯିବ। ସେହିପରି ଏହି ଅବସରରେ ଗୌରବ ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ଥାନୀୟ ଆଦିବାସୀ ଗୁଣୀଜନଙ୍କୁ ସମ୍ବର୍ଦ୍ଧନା ଏବଂ ସିକଲ୍ ସେଲ୍ ଆନିମିଆ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ। “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି ମୋଦୀ ସରକାର ଆଦିବାସୀ ସମାଜକୁ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ପ୍ରଦାନ କରୁଛନ୍ତି। ଆସନ୍ତା ନଭେମ୍ବର ୧୫ ତାରିଖରେ ନିଜ ନିଜ ଗ୍ରାମ ଓ ଅଞ୍ଚଳରେ ଭଗବାନ ବୀର୍ସା ମୁଣ୍ଡା ଏବଂ ସ୍ଥାନୀୟ ଆଦିବାସୀ ଜନନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଉଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଗୌରବମୟ ଗାଥା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଶ୍ରୀ କାନ୍ଦ୍ରା ଅନୁରୋଧ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ଏବଂ ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗଙ୍ଗାରାମ ସୋରେନ ଉପସ୍ଥିତ ଥିଲେ ।