ଗଞ୍ଜାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପ୍ରାକୃତିକ ନୁହେଁ ସରକାରୀ କୃତ: ବିଜେଡି

ସରକାର ନିଜ ଅପାରଗତା ଘୋଡ଼ାଇବାକୁ ମିଛ କହୁଛନ୍ତି

ବିଜେଡି ସରକାରର ଜିରୋ କାଜୁଆଲିଟି ମଡେଲ ସାରା ବିଶ୍ୱରେ ପ୍ରଶଂସିତ

ଭୁବନେଶ୍ୱର, ୧୨/୧୧: ସରକାରଙ୍କ ଚରମ ଅବହେଳା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଳୟଙ୍କାରୀ ବନ୍ୟା ଆସିଲା । ସରକାରଙ୍କ ପୂର୍ବ ପ୍ରସ୍ତୁତିର ଅଭାବ ଓ ଦାୟିତ୍ୱହୀନ ନିଷ୍ପତ୍ତି ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଗଞ୍ଜାମବାସୀ । ଗଞ୍ଜାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପ୍ରାକୃତିକ ନୁହେଁ ସରକାରୀ କୃତ । ସରକାର ନିଜର ଅପାରଗତା ଘୋଡ଼ାଇବା ପାଇଁ ମିଛ କହୁଥିବା କହିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା
ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ଗଞ୍ଜାମରେ ବନ୍ୟା ପରିଚାଳନାରେ ଚରମ ଅବହେଳା କରିଥିବାରୁ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ଗଞ୍ଜାମରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଦେଶର ଅନ୍ୟ ଅଞ୍ଚଳରେ ଘଟିଥିବା ବଡ଼ ବଡ଼ ବନ୍ୟା ବିପର୍ଯ୍ୟୟ ସହ ତୁଳନୀୟ । ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଜାରି ସତ୍ତ୍ୱେ ସରକାରଙ୍କ ପୂର୍ବ ପ୍ରସ୍ତୁତି ଅଭାବରୁ ଗଞ୍ଜାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଲା । ଗଞ୍ଜାମ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହେବା ପରେ ମଧ୍ୟ ସରକାର ଜିଲ୍ଲାରେ ଥିବା ଜଳଭଣ୍ଡାରକୁ ଖାଲି କରିନଥିଲେ । ଜଳଭଣ୍ଡାର ଗୁଡ଼ିକରେ ୮୦ ପ୍ରତିଶତ ଜଳ ରହିଥିଲା । ଜଳଭଣ୍ଡାର ପରିଚାଳନାରେ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡ଼ିଛି । ପ୍ରବଳ ବର୍ଷା ହେବା ପରେ ଋଷିକୂଲ୍ୟା ନଦୀରେ ବନ୍ୟାଜଳ ପୂର୍ଣ୍ଣ ଥିବାବେଳେ ଜଳଭଣ୍ଡାର ଗେଟ୍ ଖୋଲି ଦିଆଯାଇଥିଲା । ସରକାର ଓ ଜଳସମ୍ପଦ ବିଭାଗର ଅପରିଣାମଦର୍ଶୀ ନିଷ୍ପତ୍ତି ପାଇଁ ଗଞ୍ଜାମରେ ପ୍ରଳୟଙ୍କାରୀ ବନ୍ୟା ଆସି ସବୁ ଛାରଖାର କରିଦେଲା । ଜଳଭଣ୍ଡାର ଗେଟ୍ ଖୋଲିବା ନେଇ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା । ଫଳସ୍ୱରୂପ ସେମାନେ ଆଗୁଆ ସୂଚନା ଅଭାବରୁ ନିଜର ଗାଈଗୋରୁ ଓ ଜିନିଷପତ୍ରକୁ ଉଚ୍ଚ ସ୍ଥାନକୁ ନେଇପାରି ନଥିଲେ । ବନ୍ୟା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ । ବର୍ଷା ସମୟରେ ୮ ମନ୍ତ୍ରୀ ମନିଟରିଂ କରୁଥିବା ସରକାର କହୁଥିବା ବେଳେ କେଉଁ ମନ୍ତ୍ରୀ ମନିଟରିଂ କରୁଥିଲେ ତାହା ଦେଖିବାକୁ ମିଳିନଥିଲା । ବନ୍ୟା ପରିଚାଳନାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ । ଗଞ୍ଜାମ ବିପର୍ଯ୍ୟୟ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ । ୨୪ ବର୍ଷର ବିଫଳତା କହି ଖସିଯିବାକୁ ବସିଛନ୍ତି ସରକାର । ସରକାର ନିଜର ଅପାରଗତା ଲୁଚାଇବା ପାଇଁ ମିଛ କହିବା ବନ୍ଦ କରନ୍ତୁ । କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ସହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତୁ ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ସରକାର ଓ ଜଳସମ୍ପଦ ବିଭାଗର ଖାମଖିଆଲି ମନୋଭବ ପାଇଁ ଗଞ୍ଜାମରେ ଜଳପ୍ରଳୟ ହେଲା । ଜଳଭଣ୍ଡାର ପରିଚାଳନାରେ ସରକାରଙ୍କ ବ୍ୟାପକ ତ୍ରୁଟି ପାଇଁ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ହେବା ସହ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଲା । ପ୍ରଳୟଙ୍କାରୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ହିଞ୍ଜିଳିକାଟୁ, ସୋରଡ଼ା, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟା ଯୋଗୁଁ ଘରଦ୍ୱାର ନଷ୍ଟ ହେବା ସହ ଧାନଚାଷ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦୁରାପଡ଼ା ଗ୍ରାମର ଜଣେ ଯୁବକ ଉଦ୍ଧାର ସହାୟତାକୁ ଅପେକ୍ଷା କରିଥିବା ସମୟରେ ପ୍ରାଣ ହରାଇଥିଲେ । ସେହିପରି ସୋରଡ଼ା ଓ କବିସୂର୍ଯ୍ୟନଗର ବ୍ଲକରେ ଉଜୁଡ଼ା କ୍ଷେତକୁ ଦେଖି ଚାଷୀ ଆତ୍ମହତ୍ୟା କରିବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଜିଲ୍ଲାର ଅନେକ ଅଞ୍ଚଳରେ ୫ରୁ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ଲଗାତାର ୩ ଦିନ ଧରି ଜିଲ୍ଲାବାସୀ ବନ୍ୟା ଯନ୍ତ୍ରଣା ଭୋଗୁଥିବା ବେଳେ ଲୋକଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚିପାରି ନଥିଲା । ଗଞ୍ଜାମରେ ବନ୍ୟା ପରିଚାଳନା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ରୋଲ୍ ମଡେଲ ସାଜିଥିବା ଓଡ଼ିଶା, ଆଜି ବିଜେପି ସରକାରରେ ସାରା ବିଶ୍ୱରେ ନିନ୍ଦିତ ହେଉଛି । ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ତପସ୍ୟା ୨୪ ମାସରେ ଧୂଳିସାତ କରିଦେଲା ବିଜେପି । ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ମିଛ କହିବା ବନ୍ଦ କରନ୍ତୁ ସରକାର ।

ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ସରକାର ଆଉ ବାହାନା ନକରି ଲୋକଙ୍କ ଦୁର୍ଦ୍ଦଶା ପ୍ରତି ପ୍ରକୃତ ସମ୍ୱେଦନଶୀଳତା ପ୍ରଦର୍ଶନ କରନ୍ତୁ । ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଏବଂ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ହିଁ ରିଲିଫ୍ ବଣ୍ଟନ ଓ ସହାୟତା କାର୍ଯ୍ୟ ଗତିଶୀଳ ହୋଇଥିଲା । ଲୋକମାନେ ଯେତେବେଳେ ଘୋର ଦୁର୍ଦ୍ଦଶାରେ ଥିଲେ, ସେତେବେଳେ ଏହି ପଦକ୍ଷେପ କାହିଁକି ନିଆଗଲା ନାହିଁ ? ୨୪ ବର୍ଷର ବିଫଳତା କହି ଦୋଷ ଲଦିବାକୁ ଚେଷ୍ଟା କରୁଛନ୍ତି ସରକାର । ବିଜେଡି ସରକାର ସମୟରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ପ୍ରଶଂସା କରିବା ସହିତ ଜାତିସଂଘ ମଧ୍ୟ ପ୍ରଶଂସା କରିଥିଲା । ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ଓ ପ୍ରଶାସନିକ ବ୍ୟବସ୍ଥା ଗଢ଼ି ତୋଳିଥିଲା । କିନ୍ତୁ ବର୍ତ୍ତମାନର ସରକାର ବିପର୍ଯ୍ୟୟ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜର ଦିଲ୍ଲୀ ଗସ୍ତ ବାତିଲ କରିଥିବା ବେଳେ ଗଞ୍ଜାମରେ ଏତେ ଗମ୍ଭୀର ପରିସ୍ଥିତି ସତ୍ତ୍ୱେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ । ଜିଲ୍ଲାରେ ଦଳୀୟ ଭିତ୍ତିରେ ରିଲିଫ୍ ବଣ୍ଟନ ନ କରି ସମସ୍ତଙ୍କୁ ରିଲିଫ୍ ବଣ୍ଟନ କରାଯାଉ । ସମସ୍ତ ବନ୍ୟା କ୍ଷତିଗ୍ରସ୍ତ ପରିବାର ପାଇଁ ଏକ ସ୍ୱତନ୍ତ୍ର ରିଲିଫ୍ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିବା ସହ ପ୍ରଭାବିତ ଗ୍ରାମ ଓ ପରିବାର ପାଖରେ ସହାୟତା ପହଞ୍ଚାଯାଉ । କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ଗୁଡ଼ିକୁ ତୁରନ୍ତ କ୍ଷତିପୂରଣ ଦିଆଯାଉ ।