ONEACON 2026 ରାଜ୍ୟସ୍ତରୀୟ ନର୍ସିଂ ସମ୍ମିଳନୀରେ ଯୋଗଦେଲେ ଶ୍ରୀ ଗୋଲକ ମହାପାତ୍ର

ରାଜ୍ୟସ୍ତରୀୟ ନର୍ସିଂ ସମ୍ମିଳନୀରେ ଯୋଗଦେଇ ୭,୦୦୦ରୁ ଊର୍ଦ୍ଧ୍ୱ ନର୍ସିଂ କର୍ମଚାରୀଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଲେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର

ନର୍ସିଂ ସେବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ; ନର୍ସିଂ କର୍ମଚାରୀଙ୍କ ନିଷ୍ଠା ଓ ସମର୍ପଣ ଅତୁଳନୀୟ

ଭୁବନେଶ୍ୱର, ୧୨/୧୧: ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମ୍‌ଠାରେ ଓଡ଼ିଶା ନର୍ସିଂ ଏମ୍ପ୍ଲୋୟୀଜ୍ ଆସୋସିଏସନ୍ (ONEA) ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ନର୍ସିଂ ସମ୍ମିଳନୀ ONEACON 2026ରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ। ଏହି ଅବସରରେ ସେ ନର୍ସିଂ କର୍ମଚାରୀଙ୍କ ନିଷ୍ଠା, ସମର୍ପଣ ଓ ମାନବସେବାର ମହାନ ପରମ୍ପରାକୁ ଉଚ୍ଚ ପ୍ରଶଂସା କରିବା ସହ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନକୁ ଗୁରୁତ୍ୱାରୋପ କରିଥିଲେ।

ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ଶିଶୁ ଭବନର ଅଧୀକ୍ଷକ ଶ୍ରୀ ସୁନୀଲ କୁମାର ଅଗ୍ରୱାଲ, ନର୍ସିଂ ଆସୋସିଏସନ୍‌ର ଉପଦେଷ୍ଟା ଶ୍ରୀ ଉପେନ୍ଦ୍ରନାଥ ଓଝା, ସଭାପତି ଶ୍ରୀମତୀ ସୁଚିସ୍ମିତା ଦାଶ, ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ଦାସ, ନର୍ସିଂ ନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପାଣିଗ୍ରାହୀ ଏବଂ ନିଶ୍ଚେତକ ବିଶେଷଜ୍ଞ ଡଃ ଶିବ ପ୍ରସାଦ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ନର୍ସିଂ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ନର୍ସିଂ କେବଳ ଏକ ବୃତ୍ତି ନୁହେଁ, ଏହା ମାନବତାର ସେବା, କରୁଣାର ଅଭିବ୍ୟକ୍ତି ଏବଂ ନିଷ୍ଠାପର କର୍ତ୍ତବ୍ୟବୋଧର ଏକ ମହାନ ଉଦାହରଣ। ଜଣେ ରୋଗୀଙ୍କ ଚିକିତ୍ସାରେ ଡାକ୍ତରଙ୍କ ପରାମର୍ଶ ଯେତିକି ଗୁରୁତ୍ୱପୂର୍ଣ୍ଣ, ନର୍ସିଂ ଅଫିସରଙ୍କ ଯତ୍ନ, ସେବା, ସହାନୁଭୂତି ଓ ଆତ୍ମୀୟତା ମଧ୍ୟ ସେତିକି ଅପରିହାର୍ଯ୍ୟ। ରୋଗୀଙ୍କ ଯନ୍ତ୍ରଣାରେ ସହଭାଗୀ ହେବାଠାରୁ ଆରମ୍ଭ କରି ତାଙ୍କୁ ମାନସିକ ସାହସ ଓ ନୂତନ ଜୀବନର ଆଶା ଦେବା ପର୍ଯ୍ୟନ୍ତ ନର୍ସିଂ କର୍ମଚାରୀଙ୍କ ଅବଦାନ ଅତୁଳନୀୟ। ତେଣୁ ଏକ ସୁଦୃଢ଼ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନରେ ନର୍ସିଂ କର୍ମଚାରୀମାନେ ହେଉଛନ୍ତି ଅପରିହାର୍ଯ୍ୟ ଶକ୍ତି।

ସେ ଆହୁରି କହିଥିଲେ ଯେ, ଆଜିର ପରିବର୍ତ୍ତିତ ସ୍ୱାସ୍ଥ୍ୟସେବା ପରିବେଶରେ ନର୍ସିଂ ବୃତ୍ତିର ଦକ୍ଷତା ବିକାଶ, ଆଧୁନିକ ଜ୍ଞାନକୌଶଳର ଉପଯୋଗ, ଉତ୍ତମ କାର୍ଯ୍ୟପରିବେଶ ଏବଂ ରୋଗୀକୈନ୍ଦ୍ରିକ ସେବାକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଦିଗରେ ONEACON 2026 ଭଳି ରାଜ୍ୟସ୍ତରୀୟ ସମ୍ମିଳନୀ ଜ୍ଞାନ, ଅଭିଜ୍ଞତା ଓ ନୂତନ ଚିନ୍ତାଧାରାର ଆଦାନପ୍ରଦାନ ପାଇଁ ଏକ ଉତ୍ତମ ମଞ୍ଚ।

ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାନବ ସମ୍ବଳର ଅଭାବ ଦୂର କରିବା ଦିଗରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଶ୍ରୀ ମହାପାତ୍ର ଏକ ଦୂରଦର୍ଶୀ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ୭,୦୦୦ରୁ ଊର୍ଦ୍ଧ୍ୱ ନର୍ସିଂ କର୍ମଚାରୀଙ୍କ ନିଯୁକ୍ତି ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନୂତନ ଶକ୍ତି ପ୍ରଦାନ କରିବା ସହ ସରକାରଙ୍କ ଜନକଲ୍ୟାଣକାରୀ ଓ ଲୋକାଭିମୁଖୀ ଚିନ୍ତାଧାରାର ପ୍ରତିଫଳନ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାଦ୍ୱାରା ହସ୍ପିଟାଲଗୁଡ଼ିକରେ ରୋଗୀସେବାର ମାନ ବୃଦ୍ଧି, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ କାର୍ଯ୍ୟଚାପ ହ୍ରାସ ଏବଂ ସାଧାରଣ ଲୋକଙ୍କୁ ଅଧିକ ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନରେ ସହାୟତା ମିଳିବ।

୭,୦୦୦ରୁ ଊର୍ଦ୍ଧ୍ୱ ନର୍ସିଂ କର୍ମଚାରୀଙ୍କ ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ସହ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କୁ ଶ୍ରୀ ମହାପାତ୍ର ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।

ଶେଷରେ ସେ ନର୍ସିଂ କ୍ଷେତ୍ର ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ସେବା, ତ୍ୟାଗ ଓ ଅବଦାନକୁ ସମ୍ମାନ ଜଣାଇବା ସହ ଏକ ସୁସ୍ଥ, ସମୃଦ୍ଧ ଓ ସୁଦୃଢ଼ ଓଡ଼ିଶା ଗଠନରେ ସେମାନଙ୍କ ଭୂମିକା ସର୍ବଦା ଅତୁଳନୀୟ ରହିବ ବୋଲି ମତପ୍ରକାଶ କରିଥିଲେ।