ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ ଡ୍ରେନେଜ୍ ସଫେଇ କାର୍ଯ୍ୟ ଜୋରଦାର

ଅଧିକ ବର୍ଷା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ପଙ୍କ ଉଦ୍ଧାର ଓ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇବା କାର୍ଯ୍ୟ ଜାରି

ଭୁବନେଶ୍ୱର, ୧୯/୧୧: ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବା ସହ ଡ୍ରେନେଜ୍ ସଫେଇ, ପଙ୍କ ଉଦ୍ଧାର ଓ ଅବରୋଧ ହଟାଇବା କାର୍ଯ୍ୟକୁ ଜଳ ସମ୍ପଦ ବିଭାଗ ଜୋରଦାର କରିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ଏହି କାର୍ଯ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଭୁବନେଶ୍ୱରର ଜାତୀୟ ରାଜପଥ ବାଇପାସ୍‌ର ନିକଟସ୍ଥ ଗଙ୍ଗୁଆ ନାଳ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଯାଉଛି। ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଡ୍ରେନେଜ୍ ଡିଭିଜନ ପକ୍ଷରୁ ସାପୁଆ ନାଳ, ବାହାନା ନାଳ ଓ ସୂର୍ଯ୍ୟ ନାଳରେ ଯାଞ୍ଚ, ପଙ୍କ ଉଦ୍ଧାର ଓ ଆବର୍ଜନା ସଫେଇ କାର୍ଯ୍ୟ ଚାଲିଛି। ସେହିପରି ଦିଗପହଣ୍ଡି ବ୍ଲକ୍‌ର ଫାସିଗୁଡ଼ା ଗ୍ରାମ ନିକଟସ୍ଥ ତପ୍ତପାଣି ନାଳରେ ମଧ୍ୟ ଅବରୋଧ ହଟାଯାଉଛି।

ବିଭାଗୀୟ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଜଳବନ୍ଦୀ ପ୍ରବଣ ଅଞ୍ଚଳ ଓ ପ୍ରମୁଖ ଜଳ ନିଷ୍କାସନ ପଥଗୁଡ଼ିକର ନିୟମିତ ଯାଞ୍ଚ କରୁଛନ୍ତି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି।

ବର୍ଷାଜଳର ସୁଗମ ନିଷ୍କାସନ ସୁନିଶ୍ଚିତ କରିବା, ଜଳବନ୍ଦୀ ଓ ବନ୍ୟା ଆଶଙ୍କା ହ୍ରାସ କରିବା ସହ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ନିରନ୍ତର ନଜର ରଖାଯାଇଛି।