ବସୁଧା ହେଲ୍ପଲାଇନ୍ ୧୯୧୬ ରହିବ ୨୪ ଘଣ୍ଟା କାର୍ଯ୍ୟକ୍ଷମ : ବାତ୍ୟା ‘ଆକ୍ଭାନ୍’କୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିଷ୍ପତି
ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସମ୍ପର୍କିତ ଅଭିଯୋଗ ସହ ବିଭାଗୀୟ ସେବା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ହେଲ୍ପଲାଇନ୍ ରହିବ କାର୍ଯ୍ୟକ୍ଷମ
ଭୁବନେଶ୍ୱର, ୧୯/୧୧: ସମ୍ଭାବ୍ୟ ବାତ୍ୟା ‘ଆକ୍ଭାନ୍’କୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ହେଲ୍ପଲାଇନ୍ ନମ୍ବର ୧୯୧୬କୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ହେଲ୍ପଲାଇନ୍ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇବ।
ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ଏକ କାର୍ଯ୍ୟାଳୟ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ହେଲ୍ପଲାଇନ୍ ଜରିଆରେ ପାନୀୟ ଜଳ ଯୋଗାଣ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଅନ୍ୟାନ୍ୟ ସେବା ସମ୍ପର୍କିତ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ, ପଞ୍ଜୀକରଣ ଓ ସମାଧାନ କରାଯିବ।
ଏଥିପାଇଁ କଲ୍ ସେଣ୍ଟରକୁ ତୁରନ୍ତ ୨୪×୭ କାର୍ଯ୍ୟକ୍ଷମ କରିବା ସହ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି। ବାତ୍ୟା ସମୟରେ ଗ୍ରାମାଞ୍ଚଳର ଲୋକମାନେ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମସ୍ୟା ଜଣାଇବା ଓ ଆବଶ୍ୟକ ସହାୟତା ପାଇବା ପାଇଁ ଏହି ହେଲ୍ପଲାଇନ୍ର ସହାୟତା ନେଇପାରିବେ।