ବିଡିଏ କର୍ମଚାରୀଙ୍କ ସମସ୍ୟା, ନ୍ୟାୟସଙ୍ଗତ ଦାବି ଓ ପେନ୍‌ସନ୍ ଯୋଜନା ନେଇ ଆଲୋଚନା

ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍‌ର ନେତୃତ୍ୱରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର, ୨୦/୧୧: ବିଡିଏ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା, ନ୍ୟାୟସଙ୍ଗତ ଦାବି ଓ ସେମାନଙ୍କ ଭବିଷ୍ୟତ ସୁରକ୍ଷାକୁ ନେଇ ଆଜି ଓଡ଼ିଶା ଆର୍‌ଏସ୍‌ଏସ୍‌ର ସଂଘ ପ୍ରଚାରକ ପ୍ରମୁଖ ଶ୍ରୀ ପ୍ରସନ୍ନ କୁମାର ମିଶ୍ରଙ୍କ ସହ ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍‌ର ଏକ ପ୍ରତିନିଧି ଦଳ ସାକ୍ଷାତ୍ କରି ଆଲୋଚନା କରିଥିଲେ।

ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍‌ର ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ବିଡିଏର ଆଇନ ପରାମର୍ଶଦାତା ତଥା ଫୋରମ୍‌ର ନେତୃସ୍ଥାନୀୟ ସଦସ୍ୟ ଶ୍ରୀ ଜୟନ୍ତ କୁମାର ଜେନା ଉପସ୍ଥିତ ଥିଲେ।

ଏହି ସାକ୍ଷାତ୍‌କାର ସମୟରେ ବିଡିଏ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା, ଦୀର୍ଘଦିନର ନ୍ୟାୟସଙ୍ଗତ ଦାବି, କର୍ମଚାରୀ କଲ୍ୟାଣ ଓ ଭବିଷ୍ୟତ ସ୍ୱାର୍ଥ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି କର୍ମଚାରୀମାନଙ୍କ ଅବସର ପରବର୍ତ୍ତୀ ଆର୍ଥିକ ସୁରକ୍ଷା ସହ ଜଡ଼ିତ ପେନ୍‌ସନ୍ ଯୋଜନାରେ ଆବଶ୍ୟକ ପରିବର୍ତ୍ତନ ଓ ଉନ୍ନତିକରଣ ସମ୍ପର୍କରେ ପ୍ରତିନିଧି ଦଳ ପକ୍ଷରୁ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା।

କର୍ମଚାରୀମାନଙ୍କୁ ଅବସର ପରେ ଉପଯୁକ୍ତ ଓ ସମ୍ମାନଜନକ ଜୀବନଯାପନର ସୁଯୋଗ ଦେବା ସହ ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକର ସମାଧାନ ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣର ଆବଶ୍ୟକତା ଉପରେ ଫୋରମ୍ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା।

କର୍ମଚାରୀଙ୍କ ହିତ, କଲ୍ୟାଣ ଓ ସାମଗ୍ରିକ ଉନ୍ନତି ଦିଗରେ ଏଭଳି ଆଲୋଚନା ଏକ ସକାରାତ୍ମକ ପ୍ରୟାସ ବୋଲି ପ୍ରତିନିଧି ଦଳ ଆଶାବ୍ୟକ୍ତ କରିଥିଲେ।