ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସହ ସାକ୍ଷାତ କଲେ ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ସଭାପତି ଓ ସମ୍ପାଦକ

ସ୍ମାରକପତ୍ର ପ୍ରଦାନ କଲେ

ଭୁବନେଶ୍ୱର, ୨୦/୧୧: ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ସଭାପତି ଶ୍ରୀ ଅଶୋକ କୁମାର ଛୋଟରାୟ, ସମ୍ପାଦକ ଶ୍ରୀ ସୁମନ ରାଉତରାୟ ଏବଂ ବିଜେପି ଲିଗାଲ୍ ସେଲ୍‌, ଓଡ଼ିଶାର ଆବାହକ ଶ୍ରୀ ଜୟନ୍ତ କୁମାର ଜେନା ଆଜି ରାଜ୍ୟସଭାର ମାନ୍ୟବର ସାଂସଦ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ସାକ୍ଷାତ୍‌ କରିଥିଲେ।

ଭୁବନେଶ୍ୱରର ଆବାସିକ କୋଠାଗୁଡ଼ିକ ମଧ୍ୟରେ ଚାଲୁଥିବା ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ସିଲ୍‌ କରିବା ପ୍ରସଙ୍ଗରେ ଏବଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ଆଦେଶ କାର୍ଯ୍ୟକାରୀ କରିବା ସମୟରେ ବିଏମ୍‌ସି କର୍ତ୍ତୃପକ୍ଷ ଓ ସେମାନଙ୍କ ଦ୍ୱାରା ନିୟୋଜିତ କର୍ମଚାରୀମାନେ ଅବଲମ୍ବନ କରୁଥିବା ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ପ୍ରକ୍ରିୟା ଯୋଗୁଁ ସାଧାରଣ ଜନତାଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହେଉଥିବା ବିଷୟ ପ୍ରତିନିଧିମଣ୍ଡଳୀ ମାନ୍ୟବର ସାଂସଦଙ୍କ ଦୃଷ୍ଟିକୁ ଆଣିଥିଲେ।

ଏହି ପରିସ୍ଥିତିର ସମାଧାନ ପାଇଁ ଜନସାଧାରଣଙ୍କ ମନରେ ଆତଙ୍କ ସୃଷ୍ଟି ନକରି ଅଧିକ ବ୍ୟବହାରିକ ଓ ଯୁକ୍ତିସଙ୍ଗତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେତେକ ପ୍ରସ୍ତାବ ଓ ସମ୍ଭାବ୍ୟ ସମାଧାନର ମାର୍ଗ ସମ୍ବଳିତ ଏକ ସ୍ମାରକପତ୍ର ବାର୍ ଆସୋସିଏସନ୍‌ର ସଭାପତି ଓ ସମ୍ପାଦକ ଶ୍ରୀ ମନମୋହନ ସାମଲଙ୍କୁ ପ୍ରଦାନ କରିଥିଲେ।

ଏହି ଅବସରରେ ବାର୍ ଆସୋସିଏସନ୍‌ର ସଭାପତି ଶ୍ରୀ ଅଶୋକ କୁମାର ଛୋଟରାୟ କହିଥିଲେ ଯେ, “ଭୁବନେଶ୍ୱରବାସୀଙ୍କ ନ୍ୟାୟସଙ୍ଗତ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ଭୁବନେଶ୍ୱର ବାର୍ ଆସୋସିଏସନ୍ ସବୁବେଳେ ଲୋକଙ୍କ ସହ ରହିଛି ଏବଂ ଆଗକୁ ମଧ୍ୟ ଲଢ଼େଇ ଜାରି ରଖିବ। ଜାତି, ରାଜନୈତିକ ବିଚାରଧାରା କିମ୍ବା ସାମାଜିକ ସ୍ଥିତି ନିର୍ବିଶେଷରେ ଭୁବନେଶ୍ୱରବାସୀଙ୍କ ମଧ୍ୟରେ ଭାଇଚାରା, ଏକତା, ପାରସ୍ପରିକ ସମ୍ମାନ ଓ ଭ୍ରାତୃତ୍ୱଭାବ ସୃଷ୍ଟି କରିବା ଆମର ମୂଳ ଲକ୍ଷ୍ୟ।”

ସେହିପରି ବାର୍ ଆସୋସିଏସନ୍‌ର ସମ୍ପାଦକ ଶ୍ରୀ ସୁମନ ରାଉତରାୟ ଏହି ସମସ୍ୟାର ସମସ୍ତ ଦିଗ ଏବଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଗାମୀ ଚୂଡ଼ାନ୍ତ ରାୟର ସମ୍ଭାବ୍ୟ ପ୍ରଭାବକୁ ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନର ଆବଶ୍ୟକତା ଉପରେ ମତ ରଖିଥିଲେ। ଏଥିସହିତ ଭବିଷ୍ୟତରେ ଏଭଳି ପରିସ୍ଥିତିର ସୁଚାରୁ ପରିଚାଳନା ଓ ସମାଧାନ ପାଇଁ ଏକ ସୁସ୍ପଷ୍ଟ କାର୍ଯ୍ୟପଦ୍ଧତି (Modus Operandi) ପ୍ରସ୍ତୁତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ସ୍ମାରକପତ୍ର ଗ୍ରହଣ କରିବା ସହ ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ମାନ୍ୟବର ସାଂସଦ ଶ୍ରୀ ମନମୋହନ ସାମଲ ସ୍ମାରକପତ୍ରରେ ଉଲ୍ଲେଖିତ ତଥ୍ୟ ଓ ପ୍ରସ୍ତାବଗୁଡ଼ିକୁ ଗୁରୁତ୍ୱ ଦେଇ ଏହି ପ୍ରସଙ୍ଗରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାଥମିକତା ଭିତ୍ତିରେ ଆଲୋଚନା କରିବେ ବୋଲି ଆଶ୍ୱାସନା ଦେଇଥିଲେ।