ଗଙ୍ଗେଶ୍ୱର ମହାଦେବଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲକ୍ଷରେ ବେଳାଭୂମି ଯଜ୍ଞ ମହୋତ୍ସବ

ନଭେମ୍ବର ୨୪ ଓ ୨୫ରେ ଦୁଇଦିନିଆ ଆଧ୍ୟାତ୍ମିକ ଉତ୍ସବ

କାକଟପୁର, ୨୧/୧୧ : ପୁରୀ ଜିଲ୍ଲାର ପବିତ୍ର ମହୋଦଧି ବେଳାଭୂମିରେ ବିରାଜମାନ ପ୍ରଭୁ ଶ୍ରୀ ଶ୍ରୀ ଗଙ୍ଗେଶ୍ୱର ମହାଦେବଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲକ୍ଷନେଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନଭେମ୍ବର ୨୪ ଓ ୨୫ ତାରିଖରେ ଦୁଇଦିନିଆ ବେଳାଭୂମି ଯଜ୍ଞ ମହୋତ୍ସବ ଆୟୋଜିତ ହେବ। ଏହି ମହୋତ୍ସବକୁ ନେଇ ଆଜି ସ୍ଥାନୀୟ ମୋତି ମଣ୍ଡପଠାରେ ଆୟୋଜକ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଉତ୍ସବର ଉଦ୍ଦେଶ୍ୟ, ଆଧ୍ୟାତ୍ମିକ ମହତ୍ତ୍ୱ ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଦୁଇଦିନିଆ ମହୋତ୍ସବରେ ଗୀତଯଜ୍ଞ, ସମୁଦ୍ର ଆଳତି, ବୋଇତ ଯାତ୍ରା ଓ ବୋଇତ ବନ୍ଦାଣ, ଗୋମାତା ପୂଜନ, ଗଙ୍ଗେଶ୍ୱର ମହାଦେବଙ୍କ ଆବାହନ ଓ ଘଟସ୍ଥାପନ, ନଗର କୀର୍ତ୍ତନ ଆଦି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ କଳା ଓ ପ୍ରତିଭାର ବିକାଶ ତଥା ପ୍ରଦର୍ଶନ ପାଇଁ ‘ମାଟିର ମହକ’ ଶୀର୍ଷକ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି କମିଟିର ସମ୍ପାଦକ ଚିନ୍ମୟ ପ୍ରକାଶ ଦାଶ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ଅକ୍ଷୟ କୁମାର ପରିଡ଼ା ସମସ୍ତ ହିନ୍ଦୁ ସମାଜର ଶ୍ରଦ୍ଧାଳୁଙ୍କୁ ଏହି ପବିତ୍ର ଆଧ୍ୟାତ୍ମିକ ମହୋତ୍ସବରେ ସାମିଲ ହୋଇ ପ୍ରଭୁ ଗଙ୍ଗେଶ୍ୱର ମହାଦେବଙ୍କ ଦିବ୍ୟକୃପା ଲାଭ କରିବାକୁ ନିବେଦନ କରିଥିଲେ। ଏଥିସହ ଓଡ଼ିଆ ସାଧବ ପୁଅଙ୍କ ଗୌରବମୟ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଐତିହାସିକ ଗାଥାକୁ ସ୍ମରଣ କରିବା ସହ ଏହି ମହୋତ୍ସବକୁ ସଫଳ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ କମିଟିର ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ବରିଷ୍ଠ ସଦସ୍ୟ କୈଳାଶ ଚନ୍ଦ୍ର ନାୟକ, ବସନ୍ତ ଜେନା ଓ ରୂପନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।