ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପିର ପରାଜୟ ପ୍ରସଙ୍ଗ; ମିଛ କହି ଭୋଟ ନେଉଥିବାରୁ ବିଜେପି ପ୍ରତି ମୁହଁ ଫେରାଇ ନେଉଛନ୍ତି ଭୋଟର: ବିଜେଡି

ଗ୍ରାମାଞ୍ଚଳର ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇବାରେ ସରକାର ବିଫଳ

ଆଗକୁ ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ବିଜେପିର ଏଭଳି ସ୍ଥିତି ହେବ

ଭୁବନେଶ୍ୱର, ୨୧/୧୧: ନିକଟରେ ରାଜସ୍ଥାନରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ ସୂଚାଉଛି ଯେ, ତୃଣମୂଳ ସ୍ତରରେ ବିଜେପି ଦୁର୍ବଳ ହେଉଛି । ବିଜେପିର ଗଡ଼ କୁହାଯାଉଥିବା ଅନେକ ଅଞ୍ଚଳରେ ବିଜେପି ପରାଜୟର ସମ୍ମୁଖୀନ ହୋଇଛି । ବିଜେପି ସରକାର ପ୍ରତି ଜନଅସନ୍ତୋଷ ବୃଦ୍ଧି ପାଉଥିବାର ଏହା ସଙ୍କେତ ବୋଲି କହିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି, ରାଜ୍ୟ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ମିଛ କହି ଭୋଟ ନେଉଥିବାରୁ ବିଜେପି ପ୍ରତି ମୁହଁ ଫେରାଇ ନେଉଛନ୍ତି ଭୋଟର । ତେଣୁ ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ଜନାଦେଶ ବିଜେପି ପାଇଁ ଏକ ବଡ଼ ରାଜନୈତିକ ଧକ୍କା ସଦୃଶ୍ୟ । ବିଜେପିର ବହୁ ତୁଙ୍ଗ ନେତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଦଳ ପରାଜୟର ସମ୍ମୁଖୀନ ହୋଇଛି । ରାଜସ୍ଥାନରେ ଏଭଳି ନିର୍ବାଚନୀ ଫଳାଫଳ ଦେଖି ଓଡ଼ିଶାର ବିଜେପି ସରକାର ମଧ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବିଳମ୍ୱ କରିବାକୁ ଉଦ୍ୟମ କରିପାରନ୍ତି । ପଞ୍ଚାୟତ ନିର୍ବାଚନ ଗଣତନ୍ତ୍ରର ମୂଳଦୁଆ । ଏହାକୁ କୌଣସି ପରିସ୍ଥିତିରେ ବିଳମ୍ୱ କରାଯିବା ଉଚିତ ନୁହେଁ । ଗ୍ରାମାଞ୍ଚଳର ବିକାଶ ପାଇଁ ଆବଶ୍ୟକ ଆର୍ଥିକ ସମ୍ୱଳ ଯୋଗାଇବାରେ ବିଫଳ ହୋଇଛି ବିଜେପି ସରକାର । ନିର୍ବାଚିତ ପ୍ରତିନିଧିମାନେ ଗ୍ରାମାଞ୍ଚଳର ବିକାଶ ପାଇଁ ବାରମ୍ୱାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇବାକୁ ଦାବି କରୁଥିବା ସତ୍ତ୍ୱେ, ରାଜ୍ୟ ସରକାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଅର୍ଥ ଯୋଗାଇ ଦେଉନାହାନ୍ତି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଶ୍ରୀ ଜେନା ଆହୁରି କହିଥିଲେ ଯେ, ଓଡ଼ିଶା ବାରମ୍ୱାର ବାତ୍ୟା, ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟରେ ଉଦ୍ବେଗଜନକ ଭାବେ ଦରଦାମ୍ ବୃଦ୍ଧି ପାଉଥିବାରୁ ସାଧାରଣ ଖାଉଟିଙ୍କ ଉପରେ ଆର୍ଥିକ ବୋଝ ପଡୁଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗ୍ରାମାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ ରାଜ୍ୟ ସରକାର । ଗ୍ରାମାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ସଫଳ ରୂପାୟନ ପାଇଁ ପର୍ଯ୍ୟାପ୍ତ ଅର୍ଥ, ପ୍ରଶାସନିକ ସହଯୋଗ ଏବଂ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରନ୍ତୁ । ବିଜେପି ସରକାର ତୁରନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ କରନ୍ତୁ । ଯାହାଦ୍ୱାରା ତୃଣମୂଳ ସ୍ତରରେ ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ୀକରଣ ହୋଇପାରିବ ।