ବାତ୍ୟା ‘ଅକୱାନ’ରେ ଶୂନ୍ୟ କାଜୁଆଲଟି ସହ ସ୍ୱାଭାବିକ ହେଉଛି ପରିସ୍ଥିତି: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

କୃଷକମାନେ ଆଦୌ ବିଚଳିତ ହୁଅନ୍ତୁ ନାହିଁ, କ୍ଷୟକ୍ଷତିର ଉଚିତ ଆକଳନ ସହ ତ୍ୱରିତ ସହାୟତା ଯୋଗାଇ ଦିଆଯିବ: ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ

ଭବିଷ୍ୟତରେ ବନ୍ୟା ଓ ବାତ୍ୟାର ପ୍ରଭାବ ହ୍ରାସ ପାଇଁ ରାଜ୍ୟସରକାରଙ୍କ ଦୀର୍ଘମିଆଦୀ ରୋଡମ୍ୟାପ୍

ଭୁବନେଶ୍ୱର, ୨୧/୧୧: ବାତ୍ୟା ‘ଅକୱାନ୍’ର ପ୍ରଭାବ ହ୍ରାସ ପାଇବା ସହ ରାଜ୍ୟରେ ପରିସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଛି। ରାଜ୍ୟ ସରକାରଙ୍କ ସୁଦୃଢ଼ ପ୍ରସ୍ତୁତି, ସମନ୍ୱିତ ପଦକ୍ଷେପ ଏବଂ ସମସ୍ତ ସଂପୃକ୍ତ ବିଭାଗ ଓ ସଂସ୍ଥାର ନିଷ୍ଠାପର ଉଦ୍ୟମ ଯୋଗୁଁ ବାତ୍ୟାର ସଫଳ ମୁକାବିଲା ସମ୍ଭବ ହୋଇପାରିଛି। ଏହି ବିପର୍ଯ୍ୟୟରେ ଜିରୋ କାଜୁଆଲଟି ହାସଲ କରିବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଏହି ସଫଳତା ପାଇଁ ମାନ୍ୟବର ସାଂସଦ, ବିଧାୟକ ତଥା ନିର୍ବାଚିତ ଜନପ୍ରତିନିଧିବୃନ୍ଦ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର (SRC), ସମ୍ପୃକ୍ତ ବିଭାଗୀୟ ସଚିବ, ରେଭେନ୍ୟୁ ଡିଭିଜନାଲ୍ କମିଶନର୍ (RDC), ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ତହସିଲଦାର୍, ODRAF, NDRF, ଅଗ୍ନିଶମ ବାହିନୀ, ବନ ଉନ୍ନୟନ ନିଗମ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ସମାଜସେବୀ, ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କ ଭୂମିକାକୁ ପ୍ରଶଂସା କରିବା ସହ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ବାତ୍ୟା ସମୟରେ ସମସ୍ତ ବ୍ୟବସ୍ଥା ଏବଂ ପରିଚାଳନାର ତଦାରଖ କରିଥିବାରୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ତାଙ୍କର ପ୍ରଂଶସା କରିବା ସହ ଧନ୍ୟବାଦ ଦେଇଥିଲେ ।

ଏଥିସହ ବିପର୍ଯ୍ୟୟ ସମୟରେ ସଚେତନତା ସୃଷ୍ଟି, ସଠିକ୍ ସୂଚନା ପ୍ରସାରଣ ତଥା ଜନସାଧାରଣଙ୍କୁ ସତର୍କ କରିବାରେ ଏବଂ ବିଭିନ୍ନ ସ୍ଥାନର ସମସ୍ୟା ପ୍ରଶାସନର ଦୃଷ୍ଟିକୁ ତୁରନ୍ତ ଆଣି ତାହାର ସମାଧାନ ଦିଗରେ ଗଣମାଧ୍ୟମର ଭୂମିକାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ପ୍ରତିକୂଳ ସମୟରେ ପ୍ରସାଶନକୁ ସହଯୋଗ କରିଥିବା ରାଜ୍ୟବାସୀଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମାନ୍ୟବର ମନ୍ତ୍ରୀ କହିଛନ୍ତି, ବାତ୍ୟା ଓ ବର୍ଷା ଯୋଗୁଁ କେତେକ ଅଞ୍ଚଳରେ ଫସଲ କ୍ଷତି ହୋଇଥିବା ଏବଂ ଧାନ ଓଦା ହୋଇଯାଇଥିବା ଘଟଣା ନଜରକୁ ଆସିଛି। ଏଥିପାଇଁ କୃଷକମାନେ ଆଦୌ ବିଚଳିତ ନହେବାକୁ ମାନ୍ୟବର ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। କ୍ଷୟକ୍ଷତିର ସଠିକ୍ ଆକଳନ କରିବା ପାଇଁ ଆବଶ୍ୟକସ୍ଥଳେ ବରିଷ୍ଠ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଯିବ। SDRF ଓ NDRFର ପ୍ରଚଳିତ ନିୟମାବଳୀ ଅନୁଯାୟୀ ଫସଲ କ୍ଷତି ପାଇଁ ଇନପୁଟ୍ ସବସିଡି ପ୍ରଦାନ ଏବଂ ଫସଲ ବୀମାଭୁକ୍ତ କୃଷକଙ୍କୁ ବୀମା କ୍ଷତିପୂରଣ ଯଥାଶୀଘ୍ର ମିଳିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

ଓଦା ହୋଇଥିବା ଧାନକୁ ଶୁଖାଇବା ତଥା ଏହାର ସୁରକ୍ଷା ପାଇଁ ମଧ୍ୟ ସରକାର ଆବଶ୍ୟକ ବ୍ୟବସ୍ଥା କରିବେ। କୌଣସି କୃଷକ ଯେପରି ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ।

ସାମ୍ପ୍ରତିକ ବାତ୍ୟା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଦେଖାଦେଇଥିବା ସମସ୍ୟା ଏବଂ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ବନ୍ୟାଜନିତ ସମସ୍ୟାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟସରକାର। ଭବିଷ୍ୟତରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ସର୍ବନିମ୍ନ କରିବା ଏବଂ ଜନଜୀବନ, କୃଷି ଓ ଭିତ୍ତିଭୂମିର କ୍ଷତି ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟର ଆଠଟି ପ୍ରମୁଖ ନଦୀ ସିଷ୍ଟମକୁ ନେଇ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ସମୀକ୍ଷା ବୈଠକ ଆୟୋଜନ କରାଯିବ।

ଏହି ବୈଠକଗୁଡ଼ିକରେ ଜଳସମ୍ପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗଦେବେ। ମହାନଦୀ ନଦୀ ସିଷ୍ଟମ, ରେଙ୍ଗାଲି ଜଳଭଣ୍ଡାର ସିଷ୍ଟମ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟା ନଦୀ ଅବବାହିକା ସମେତ ବିଭିନ୍ନ ନଦୀ ପ୍ରଣାଳୀର ସମସ୍ୟା ଓ ସମ୍ଭାବ୍ୟ ସମାଧାନ ଉପରେ ଆଲୋଚନା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଗଞ୍ଜାମ ଭଳି ଜିଲ୍ଲାରେ ବନ୍ୟା ଓ ନଦୀ ସହ ଜଡ଼ିତ ଅନ୍ୟାନ୍ୟ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବା ସହ ଏହି ସମ୍ବଦ୍ଧରେ ବନ୍ୟା ପରବର୍ତ୍ତୀ ସମୀକ୍ଷା ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ( OSDMA)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନଦୀ ସିଷ୍ଟମଗୁଡ଼ିକୁ ନେଇ ବିସ୍ତୃତ ଆଲୋଚନାରେ ବିଗତ ବର୍ଷଗୁଡ଼ିକର ବନ୍ୟା ଓ ବାତ୍ୟାର ଅନୁଭୂତି, ଉପଲବ୍ଧ ତଥ୍ୟ ଓ ଡାଟାବେସ୍‌କୁ ଆଧାର କରି ଏକ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବ। କେଉଁଠାରେ ନଦୀବନ୍ଧ, ତତ୍ ସମ୍ପର୍କିତ ଭିତ୍ତିଭୂମି ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆବଶ୍ୟକ, କେଉଁଠାରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ବିପର୍ଯ୍ୟୟର ପ୍ରଭାବ କମାଯାଇପାରିବ, ସେସବୁ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ।

ଏହି ପ୍ରକ୍ରିୟାରେ ଆବଶ୍ୟକସ୍ଥଳେ IIT ସମେତ ଅନ୍ୟାନ୍ୟ ପ୍ରତିଷ୍ଠିତ ବୈଷୟିକ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସହଯୋଗ ନିଆଯିବ। କ୍ରମାଗତ ବନ୍ୟା, ବାତ୍ୟା ପରି ବିପର୍ଯ୍ୟୟର ପ୍ରଭାବରେ ଫସଲ, ଘରଦ୍ୱାର ଓ ଭିତ୍ତିଭୂମିର କ୍ଷତି ସହ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଏବଂ ବିକାଶମୂଳକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବା ଭଳି ସମସ୍ୟାର ସ୍ଥାୟୀ ସମାଧାନ ମଧ୍ଯ ଏହି ରୋଡମ୍ୟାପ୍‌ର ଅନ୍ୟତମ ଲକ୍ଷ୍ୟ ରହିବ।

ପ୍ରକୃତିର ପରିବର୍ତ୍ତିତ ଆଚରଣ ଓ ବଢ଼ୁଥିବା ପ୍ରାକୃତିକ ବିପର୍ଯ୍ୟୟର ଆହ୍ୱାନକୁ ସାମ୍ନା କରିବା ପାଇଁ ଆମକୁ ଅଧିକ ସୁଦୃଢ଼, ବୈଜ୍ଞାନିକ ଓ ଦୀର୍ଘସ୍ଥାୟୀ ବ୍ୟବସ୍ଥା ଗଢ଼ିବାକୁ ପଡ଼ିବ। ରାଜ୍ୟ ସରକାର ଏ ଦିଗରେ ଏକ ସମନ୍ୱିତ ଓ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ସଂକଳ୍ପବଦ୍ଧ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଶେଷରେ, ବିପର୍ଯ୍ୟୟ ସମୟରେ ରାଜ୍ୟବାସୀଙ୍କ ଧୈର୍ଯ୍ୟ, ସହଯୋଗ ଓ ପ୍ରଶାସନକୁ ସହଯୋଗ କରିବାର ମନୋଭାବକୁ ମାନ୍ୟବର ମନ୍ତ୍ରୀ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।