୩ ଦିନ ପରେ ସ୍ୱାଭାବିକ ହେଲା ବିଧାନସଭା, ଚାଲିଲା ପ୍ରଶ୍ନକାଳ

କୋଟିଆ ପ୍ରସଙ୍ଗରେ ଗର୍ଜିଲା କଂଗ୍ରେସ, ପ୍ରତିଶ୍ରୁତି ଦେଲେ ବାଚସ୍ପତି

ଭୁବନେଶ୍ୱର, ୨୩/୧୧: ତିନି ଦିନର ବ୍ୟବଧାନ ପରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭାର ପ୍ରଶ୍ନକାଳ। ଲଗାତାର ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ସୋମବାର ପୁଣିଥରେ ସ୍ୱାଭାବିକ ହୋଇଛି ବିଧାନସଭା କାର୍ଯ୍ୟ। ତେବେ ଗୃହ କାର୍ଯ୍ୟ ଆରମ୍ଭରୁ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। କିନ୍ତୁ ଆଲୋଚନା ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୁତି ପରେ ନିଜ ଆସନରେ ବସିଥିଲେ କଂଗ୍ରେସ ସଦସ୍ୟ। ଏହା ପରେ ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ।

ସୂଚନା ଅନୁସାରେ, ଗତ ୧୮ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଠିକ୍‌ ଭାବେ ଚାଲିପାରି ନଥିଲା। ବିଶେଷକରି ଗଞ୍ଜାମ ବନ୍ୟା ପରିସ୍ଥିତିକୁ ନେଇ ବିଜେଡି ଏବଂ କୋଟିଆ ସୀମା ବିବାଦକୁ ନେଇ କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଥିଲେ। ଏହାକୁ ନେଇ ଗୃହରେ ଲଗାତାର ହୋହଲ୍ଲା ହୋଇଥିଲା।

ଏହାପରେ ବାତ୍ୟା ଆକ୍ୱାନ୍‌ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ଓ ରିଲିଫ୍‌ କାର୍ଯ୍ୟରେ ସାମିଲ ହେବା ପାଇଁ ବିଧାୟକମାନଙ୍କୁ ନିଜ ନିଜ ଅଞ୍ଚଳକୁ ଯିବାର ସୁଯୋଗ ଦେବା ଲାଗି ସର୍ବଦଳୀୟ ବୈଠକରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।