କୋଭିଡ୍ ମୁକାବିଲା: ପର୍ଯ୍ୟଟନ ଋତୁରେ ଭିଡ଼ ବଢ଼ାଉଛି ଚିନ୍ତା

ପୁରୀ : କୋଭିଡ୍‌ ଭୟାବହତା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କଠୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିନ୍ତା ପ୍ରକଟ କରିବା ସହ ସାବଧାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଣି ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବଡ଼ଦିନ ଓ ନୂଆବର୍ଷ ପାଇଁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟକଙ୍କ ଆଗମନରେ ରୋକ୍‌ ଲାଗିନାହିଁ କିମ୍ବା ଏଥିରେ ରୋକ୍‌ ଲାଗିବା ନେଇ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇନାହିଁ। ଯଦିଓ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ‌କୋଭିଡ୍ ପରୀକ୍ଷା ପାଇଁ ବିଜୁ ପଟ୍ଟନାୟକ ଏୟାର୍‌ପୋର୍ଟରେ ବନ୍ଦୋବସ୍ତ କରାଯାଇଛି। ତଥାପି ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ଟାଳି ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।