ସମ୍ବଲପୁର ହିଂସା ଘଟଣା: ଏସିଏସ୍‌ ସତ୍ୟବ୍ରତ ସାହୁ କହିଲେ- ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ସମୟରେ ପଥରମାଡ଼ ଘଟଣାକୁ ନେଇ ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଆଜି ସନ୍ଧ୍ୟାରେ ରାଜସ୍ୱ ବିଭାଗ ଏସିଏସ୍‌ ସତ୍ୟବ୍ରତ ସାହୁ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏସିଏସ୍‌ ଶ୍ରୀ ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ବିଗତ ୪୮ ଘଣ୍ଟା ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ। ଖୁବ ଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ। ଏଥିପାଇଁ ବିଚାରବିମର୍ଶ କରୁଛୁ। କର୍ଫ୍ୟୁ ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଛି। ଆସନ୍ତାକାଲି ମଧ୍ୟ ଆଲୋଚନା ଜାରି ରହିବ। ସମସ୍ତେ ଭାଇଚାରା ବଜାୟ ରଖନ୍ତୁ, କାରଣ ସମ୍ବଲପୁର ସଂସ୍କୃତି ସମ୍ପନ୍ନ ଓ ଉନ୍ନତ ସହର। ଆଜି ସମ୍ବଲପୁରରେ ୩୦୦୦ ପିଲା ସୁରୁଖୁରୁରେ ପରୀକ୍ଷା ଦେଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।

ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଉପଜିଲ୍ଲାପାଳ, ମ୍ୟୁନିସିପାଲିଟିର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।