ମୟୂରଭଞ୍ଜରେ ସର୍ବାଧିକ ମହିଳାଙ୍କ ବିରୋଧରେ ହିଂସା ମାମଲା: ଏନସିଆରବି ରିପୋର୍ଟ

ମୟୂରଭଞ୍ଜରେ ସର୍ବାଧିକ ମହିଳାଙ୍କ ବିରୋଧରେ ହିଂସା ମାମଲା ରୁଜୁ ହୋଇଥିବା ଏନସିଆରବି ରିପୋର୍ଟରେ ପ୍ରକାଶ ପାଇଛି।

ଦ୍ୱିତୀୟରେ ଗଞ୍ଜାମ, ତୃତୀୟରେ କେନ୍ଦ୍ରାପଡ଼ା

ଭୁବନେଶ୍ବର,୦୭/୧୨/୨୩: ରାଜ୍ୟରେ ବୃଦ୍ଧି ପାଉଛି ମହିଳାଙ୍କ ବିରୋଧରେ ହିଂସା। ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବାରେ ଓଡ଼ିଶାରେ ସବୁଠୁ ଆଗରେ ରହିଛି ମୟୂରଭଞ୍ଜ ଜିଲ୍ଲା। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହୋଇଥିବାର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟରେ ଏପରି ତଥ୍ୟ ସାମନାକୁ ଆସିଛି।

”କ୍ରାଇମ୍ ଇନ୍ ଇଣ୍ଡିଆ, ୨୦୨୨” ଶୀର୍ଷକ ଏହି ରିପୋର୍ଟରେ ଗତବର୍ଷ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଘଟିଥିବା ବିଭିନ୍ନ ଅପରାଧ ଘଟଣାର ବିସ୍ତୃତ ଜିଲ୍ଲାସ୍ତରୀୟ ବିବରଣୀ ଉପସ୍ଥାପନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ମହିଳାଙ୍କ ବିରୋଧରେ ହିଂସା ଘଟାଉଥିବା ଘଟଣାରେ ପ୍ରଥମ ସ୍ଥାନରେ ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ୨୦୨୨ରେ ରାଜ୍ୟରେ ମହିଳାଙ୍କୁ ଆକ୍ରମଣ, ହତ୍ୟା, ଦୁଷ୍କର୍ମ ଓ ଅପହରଣ ଭଳି ୧୭୮୮ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ୨୦୨୨ରେ ମୟୂରଭଞ୍ଜରେ ୩୯୪ ଜଣ ମହିଳା ଅପହରଣ ମାମଲା ରୁଜୁ ହୋଇଥିଲା।

ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ ୨୦୨୨ ମସିହାରେ ମହିଳାଙ୍କ ବିରୋଧରେ ହିଂସା ଘଟଣାରେ ୧୫୩୨ଟି ମାମଲା ରୁଜୁ ହୋଇଥିଲା।

ମୟୂରଭଞ୍ଜ ଓ ଗଞ୍ଜାମ ପରେ ତୃତୀୟ ସ୍ଥାନରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା। କେନ୍ଦ୍ରାପଡ଼ାରେ ୨୦୨୨ ମସିହାରେ ୧୪୭୬ ମାମଲା ମହିଳାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା।

୨୦୨୨ରେ ମୟୂରଭଞ୍ଜ ପରେ ବାଲେଶ୍ୱରରେ ୩୮୭ଟି ଅପହରଣ ମାମଲା ହୋଇଛି।

ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଅଧୀନରେ ମୟୂରଭଞ୍ଜରେ ମହିଳାଙ୍କ ବିରୋଧରେ ସର୍ବାଧିକ ୪୫ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି।

୨୦୨୨ରେ କଟକରେ ମହିଳାଙ୍କ ବିରୋଧରେ ୩୭ଟି ସାଇବର ଅପରାଧ ଘଟିଛି।

ମୟୂରଭଞ୍ଜରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ମାମଲା ତୃତୀୟ ସ୍ଥାନରେ ରହିଥିବା ବେଳେ କେନ୍ଦ୍ରାପଡ଼ା ରାଜ୍ୟରେ ଶୀର୍ଷରେ ରହିଛି। କେନ୍ଦ୍ରାପଡ଼ାରେ ୭୯୨, ଖୋର୍ଦ୍ଧାରେ ୬୩୯ ଓ ମୟୂରଭଞ୍ଜରେ ୬୨୧ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି।

କୋରାପୁଟରେ ୧୨୧ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି, ଯାହା କି ୨୦୨୨ରେ ରାଜ୍ୟରେ ସର୍ବାଧିକ। ସେହିପରି ମୟୂରଭଞ୍ଜରେ ୧୨୦ଟି ଯୌନ ନିର୍ଯାତନା ମାମଲା ସହ ୨୦୨୨ରେ ରାଜ୍ୟରେ ଦ୍ବିତୀୟ ସର୍ବାଧିକ ଦୁଷ୍କର୍ମ ମାମଲା ରହିଛି।

ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାରେ ୨୦୨୨ମସିହାରେ ଯୌନ ନିର୍ଯାତନା ପରେ ପୀଡ଼ିତାଙ୍କୁ ହତ୍ୟା କରାଯାଇଥିବା ଦୁଇଟି ଲେଖାଏଁ ମାମଲା ସାମ୍ନାକୁ ଆସିଛି। ସେହିପରି ୨୦୨୨ରେ ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ମାମଲାରେ ମୟୂରଭଞ୍ଜ ଶୀର୍ଷରେ ରହିଛି। ଯୌନ ନିର୍ଯାତନା ବିରୋଧରେ ଜିଲ୍ଲାରେ ୧୯୩ଟି ମାମଲା ରୁଜୁ ହୋଇଛି।