ଅନ୍ତର୍ଜାତୀୟ ପଦକ ବିଜେତା ପ୍ରଣତି ନାୟକ ଓ ମନ୍ନାତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ପଦକ ବିଜେତା ମହିଳା ଆଥଲେଟ୍ ପ୍ରଣତି ନାୟକ ଓ ମନ୍ନତା ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

ଉଭୟଙ୍କୁ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୨/୦୨/୨୦୨୪: ଅନ୍ତର୍ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ଦୁଇ ଜଣ ମହିଳା ଆଥଲେଟ୍ ପ୍ରଣତି ନାୟକ ଓ ମନ୍ନତା ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

ଓଡ଼ିଶା ଏଏମ୍ଏନ୍ଏସ୍/ଇଣ୍ଡିଆ ଜିମ୍ନାଷ୍ଟିକ୍ ଏଚପିସିରେ ପ୍ରଶିକ୍ଷଣ ନେଉଥିବା ପ୍ରତିଭାସମ୍ପନ୍ନ ଜିମ୍ନାଷ୍ଟ ପ୍ରଣତି ନାୟକ କାଇରୋଠାରେ ଆୟୋଜିତ ସମ୍ମାନଜନକ ଏଫଆଇଜି ବିଶ୍ବକପ୍ ୨୦୨୪ରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଣତିଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ସେହିଭଳି ପ୍ରଥମ ବିମଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିୟନଶିପ୍ ୨୦୨୪ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିବା ଓଡ଼ିଶା ଆଇଆଇଏସ୍ ସୁଇମିଂ ଏଚପିସିର ଶ୍ରେଷ୍ଠ ସନ୍ତରଣବିତ୍ ମନ୍ନତା ମିଶ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ଏହି ସଫଳତା ଓ ପ୍ରତିଭା ପାଇଁ ତାଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍କର୍ଷ ଯାତ୍ରା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।