ନାଲକୋର ସର୍ବକାଳୀନ ସର୍ବୋତ୍ତମ ଅର୍ଦ୍ଧ-ବାର୍ଷିକ ରେକର୍ଡ ଫଳାଫଳ
ଆର୍ଥିକ ବର୍ଷ ୨୬-୨୭ର ପ୍ରଥମାର୍ଦ୍ଧରେ ବ୍ୟବସାୟ, ଏବିଟା, ଏବଂ ଲାଭ ଅର୍ଜନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ
ଦ୍ୱିତୀୟ ତ୍ରୈମାସିକ ନିଟ୍ ଲାଭ ଗତ ବର୍ଷ ସମାନ ସମୟ ତୁଳନାରେ ୨୮% ବୃଦ୍ଧି ପାଇ ୧୮୩୫ କୋଟି ଟଙ୍କା
ଭୁବନେଶ୍ୱର/ନୂଆଦିଲ୍ଲୀ, ୦୪/୧୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ‘ନବରତ୍ନ’ ଲୋକ ଉଦ୍ୟୋଗ ‘ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍’ (ନାଲକୋ), ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ନିଜର ସର୍ବକାଳୀନ ଶ୍ରେଷ୍ଠ ଆର୍ଥିକ ପ୍ରଦର୍ଶନ କରିଛି । କମ୍ପାନୀ ମୋଟ ଆୟ, ଏବିଟା , କର ପୂର୍ବ ଲାଭ ଏବଂ କର ପରବର୍ତ୍ତୀ ଲାଭ ସମେତ ସମସ୍ତ ପ୍ରମୁଖ ଆର୍ଥିକ ମାନଦଣ୍ଡରେ ରେକର୍ଡ ହାସଲ କରିଛି । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ କମ୍ପାନୀର ମୋଟ ଆୟ ୧୧,୧୪୩ କୋଟି ଟଙ୍କା ରହିଛି, ଯାହା ଗତ ବର୍ଷର ସମାନ ଅବଧିରେ ୮,୩୭୪ କୋଟି ଟଙ୍କା ଥିଲା; ଅର୍ଥାତ୍ ଏଥିରେ ୩୩% ର ଦୃଢ଼ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଦୃଢ଼ କାର୍ଯ୍ୟଦକ୍ଷତା ଓ ଆର୍ଥିକ ପ୍ରଦର୍ଶନ ଦ୍ୱାରା ଏବିଟା ୫୦% ବୃଦ୍ଧି ପାଇ ୫,୫୩୯ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି, ୨୦୨୫-୨୬ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ କର ପୂର୍ବ ଲାଭ ଏବଂ କର ପରବର୍ତ୍ତୀ ଲାଭ ଯଥାକ୍ରମେ ୫୫% ଓ ୫୪% ବୃଦ୍ଧି ପାଇ ୫,୧୬୦ କୋଟି ଟଙ୍କା ଏବଂ ୩,୮୩୭ କୋଟି ଟଙ୍କାରେ ପହଞ୍ଚିଛି ।
ସେପ୍ଟେମ୍ବର ୨୦୨୬ ରେ ଶେଷ ହୋଇଥିବା ଦ୍ଵିତୀୟ ତ୍ରୈମାସିକରେ କମ୍ପାନୀର ନିଟ୍ ଲାଭ ୨୮% ବୃଦ୍ଧି ଘଟି ୧,୮୩୫ କୋଟି ଟଙ୍କାରେ ପହଞ୍ଚିଛି; ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୧,୪୩୩ କୋଟି ଟଙ୍କା ଥିଲା।
ନୂଆଦିଲ୍ଲୀରେ ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଅନୁମୋଦିତ ଅପରିକ୍ଷିତ ଆର୍ଥିକ ଫଳାଫଳ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସିକରେ କମ୍ପାନୀର ପରିଚାଳନାଗତ ମୋଟ ଆୟ ୨୬% ବୃଦ୍ଧି ଘଟି ୫,୪୧୯ କୋଟି ଟଙ୍କାରେ ପହଞ୍ଚିଛି; ଯାହା ବିଗତ ଆର୍ଥିକ ବର୍ଷର ସମାନ ସମୟରେ ୪,୨୯୨ କୋଟି ଟଙ୍କା ଥିଲା । ଏହି ଫଳାଫଳ ନାଲକୋ ର ନିରନ୍ତର ପରିଚାଳନାଗତ ଉତ୍କର୍ଷତା ଏବଂ ସୁଦୃଢ଼ ବ୍ୟବସାୟିକ ପ୍ରଦର୍ଶନ ଦ୍ୱାରା ସମ୍ଭବ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଉତ୍ପାଦନ କ୍ଷେତ୍ରରେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ କମ୍ପାନୀ ୨.୩୫ ଲକ୍ଷ ଟନ୍ ଆଲୁମିନିୟମ୍ ଧାତୁ ଉତ୍ପାଦନ କରିଛି, ଯାହା ସର୍ବକାଳୀନ ସର୍ବାଧିକ ଅର୍ଦ୍ଧବାର୍ଷିକ ଉତ୍ପାଦନ ଅଟେ। ସେହିପରି, ବିକ୍ରୟ କ୍ଷେତ୍ରରେ ମଧ୍ୟ, ଚଳିତ ପ୍ରଥମାର୍ଦ୍ଧରେ କମ୍ପାନୀ ଆଲୁମିନା ଏବଂ ଧାତୁର ସର୍ବାଧିକ ଘରୋଇ ବିକ୍ରୟର ରେକର୍ଡ ହାସଲ କରିଛି।
କମ୍ପାନୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ପ୍ରତି ଇକ୍ୱିଟି ସେୟାର ପିଛା ୪.୫୦ ଟଙ୍କାର ଅନ୍ତରୀଣ ଲାଭାଂଶ ମଧ୍ୟ ଘୋଷଣା କରିଛି, ଯାହାର ମୋଟ ପରିମାଣ ୮୨୬.୪୮ କୋଟି ଟଙ୍କା ଅଟେ।
ଫଳାଫଳ ସମ୍ବନ୍ଧରେ ନିଜର ମତ ରଖି, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୬-୨୭ ର ଦ୍ୱିତୀୟ ତ୍ରୈମାସିକ ତଥା ପ୍ରଥମାର୍ଦ୍ଧରେ କମ୍ପାନୀର ଦୃଢ଼ ପ୍ରଦର୍ଶନ, ଉତ୍ତମ କାର୍ଯ୍ୟଦକ୍ଷତା ତଥା ଉତ୍ପାଦନ, ଅନୁକୂଳ ବଜାର ପରିସ୍ଥିତି ଏବଂ ରଣନୀତିକ ବିପଣନ ଦ୍ୱାରା ସମ୍ଭବ ହୋଇପାରିଛି । କମ୍ପାନୀର ଆଗାମୀ ଯୋଜନା ଉପରେ ଆଲୋକପାତ କରି ଶ୍ରୀ ସିଂହ କହିଛନ୍ତି ଯେ, ନାଲକୋ ନିଜର ସମ୍ପ୍ରସାରଣ ପଦକ୍ଷେପଗୁଡ଼ିକ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି କ୍ରମରେ, ଆଲୁମିନା ରିଫାଇନାରୀର ‘୫ମ ଷ୍ଟ୍ରିମ୍ ସମ୍ପ୍ରସାରଣ’ କାର୍ଯ୍ୟ ପରିସମାପ୍ତି ପର୍ଯ୍ୟାୟର ନିକଟତର ହୋଇଛି ଏବଂ ଓଡ଼ିଶାର ଅନୁଗୋଳ ଠାରେ ପ୍ରସ୍ତାବିତ ୦.୫ ଏମଟିପିଏ କ୍ଷମତା ବିଶିଷ୍ଟ ‘ବ୍ରାଉନ୍ଫିଲ୍ଡ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ’ ପାଇଁ ପ୍ରାରମ୍ଭିକ କାର୍ଯ୍ୟଗୁଡ଼ିକ ଅଗ୍ରାଧିକାର ଭିତ୍ତିରେ ଆଗେଇ ଚାଲିଛି। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି, “ଆମେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ପ୍ରକଳ୍ପ ଏବଂ କ୍ଷମତା ବୃଦ୍ଧି ଯୋଜନାଗୁଡ଼ିକୁ ଆଗକୁ ବଢ଼ାଉଥିବା ବେଳେ, ଦେଶର ଶିଳ୍ପ ବିକାଶରେ ଯୋଗଦାନ ଦେବା ସହ ସମସ୍ତ ଅଂଶୀଦାରଙ୍କ ପାଇଁ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବା ପାଇଁ ପ୍ରତିଶୃତିବଦ୍ଧ ।”
ଶ୍ରୀ ସିଂହ କମ୍ପାନୀର ନିରନ୍ତର ଅଭିବୃଦ୍ଧି ଏବଂ ସୁଦୃଢ଼ ଆର୍ଥିକ ପ୍ରଦର୍ଶନ ପାଇଁ କର୍ମଚାରୀମାନଙ୍କ ନିଷ୍ଠା ଓ ପ୍ରତିବଦ୍ଧତା, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଆଣିବା ଦିଗରେ କ୍ରମାଗତ ଉନ୍ନତି ଏବଂ ଅଂଶୀଦାରମାନଙ୍କ ଅଟଳ ବିଶ୍ୱାସକୁ ଶ୍ରେୟ ଦେଇଛନ୍ତି। ଏହା ସହିତ, ନାଲକୋର ରଣନୀତିକ ଲକ୍ଷ୍ୟ ଏବଂ ଅଭିବୃଦ୍ଧିମୂଳକ ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବାରେ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗ ଯୋଗାଇଥିବାରୁ ସେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।