ଏଥର ଲୋକଙ୍କୁ ଖରାପ ବ୍ୟବହାର କରିବେନି ପୋଲିସ ବାବୁ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

ଗୁଣାତ୍ମକ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୧୫/୦୬: ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିଜିପି ଓ ରାଜ୍ୟର ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଅନୁଷ୍ଠିତ ବୈଠକରେ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଶୁଣିବା ଏବଂ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଲୋକଙ୍କୁ ଭଲ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତ ଏବଂ ସମୀକ୍ଷା ବୈଠକରେ ଡିଜିପି ଅରୁଣ ଷଡ଼ଙ୍ଗୀ, ସ୍ବତନ୍ତ୍ର ସଚିବ ସନ୍ତୋଷ ବଳ, ଏଡିଜି ସଞ୍ଜୟ କୁମାର, ଆର୍ କେ ଶର୍ମା, ଅରୁଣ ବୋଥ୍ରା, ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଟ୍ୱିନ୍ ସିଟି କମିଶନର ସଞ୍ଜୀବ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ପରେ ଡିଜିପି ଅରୁଣ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଟକ ଓ ଭୁବନେଶ୍ୱରର ପୋଲିସ ମୁଖ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା, ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ଏବଂ ହାତ ପାଆନ୍ତାରେ ଲୋକଙ୍କୁ ସୁବିଧା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।