୧୮ତମ ପ୍ରବାସୀ ଭାରତୀୟ ଦିବସ: ‘ବାଧା ଦୂର କରି ସମ୍ପର୍କର ସେତୁ ନିର୍ମାଣ: ପ୍ରବାସୀଙ୍କ ଦକ୍ଷତାର କାହାଣୀ’ ଶୀର୍ଷକ ଆଲୋଚନାଚକ୍ର
ଭାରତୀୟଙ୍କ ଭୂମିକା ସେହି ସ୍ଥାନର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଉନ୍ନତି ସହିତ ଏହାର ପରିଭାଷାକୁ ଏକ ନୂତନ ଦିଗ ଦେଖାଇଛି: କେନ୍ଦ୍ର ମନ୍ତ୍ରୀ ସୁଶ୍ରୀ କରନ୍ଦାଲ୍ଜେ
ଭୁବନେଶ୍ୱର, ୦୯/୦୧: ପ୍ରବାସୀ ଭାରତୀୟଙ୍କ ଦକ୍ଷତାର କାହାଣୀ ଆମକୁ ପ୍ରେରଣା ଦେଇଛି । ଆମର ଯୋଗ, ଆୟୁର୍ବେଦ, ହସ୍ତଶିଳ୍ପ, ସଂସ୍କୃତି, ମେକ୍ ଇନ୍ ଇଣ୍ଡିଆ ଉତ୍ପାଦର ପ୍ରଚାରପ୍ରସାର କରି ସେମାନେ ଅନ୍ତର୍ଭୁକ୍ତି ବିକାଶରେ ଅଂଶୀଦାର ହୋଇଛନ୍ତି ଏବଂ ନିଜ ଦକ୍ଷତା ବଳରେ ବିକଶିତ ଭାରତରେ ସେମାନଙ୍କ ସହଭାଗିତାକୁ ସୁନିଶ୍ଚିତ କରିଛନ୍ତି ବୋଲି କେନ୍ଦ୍ର ଶ୍ରମ ଓ ରୋଜଗାର, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦାଲଜେ ପ୍ରକାଶ କରିଛନ୍ତି ।
ଜନତା ମୈଦାନଠାରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନର ଦ୍ୱିତୀୟ ଦିବସରେ ‘ବାଧା ଦୂର କରି ସମ୍ପର୍କର ସେତୁ ନିର୍ମାଣ: ପ୍ରବାସୀଙ୍କ ଦକ୍ଷତାର କାହାଣୀ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଶ୍ରୀ କରନ୍ଦାଲଜେ କହିଛନ୍ତି ଯେ ଏହି ଦିବସ ପାଳନରେ ସମସ୍ତ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ସମ୍ପୂର୍ଣ୍ଣ ବିଶ୍ୱରେ ଭାରତର ସକରାତ୍ମକ ପ୍ରଭାବ ସୃଷ୍ଟି କରୁଛି । ଆଜି ବିଶ୍ୱ ଜାଣି ପାରୁଛି ଯେ ପୃଥିବୀର ପ୍ରତିଟି କୋଣ ଅନୁକୋଣରେ ଥିବା ଭାରତୀୟମାନଙ୍କ ଭୂମିକା ସେହି ସ୍ଥାନର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଉନ୍ନତି ସହିତ ଏହାର ପରିଭାଷାକୁ ଏକ ନୂତନ ଦିଗ ଦେଖାଇଛି । ବିଦେଶରେ ଥିବା ଭାରତୀୟମାନଙ୍କ ପ୍ରେରଣା ପାଇ ଆଜି ଭାରତ ବିଶ୍ୱର ଏକ ସଶକ୍ତ ଅର୍ଥନୀତି ଭାବେ ଦୃଷ୍ଟାନ୍ତ ସୃଷ୍ଟି କରିଛି ଏବଂ ଏହି ଭାବନା ହିଁ ଭାରତକୁ ଏକ ବିକଶିତ ରାଷ୍ଟ୍ରଭାବେ ଗଢ଼ି ତୋଳିବ ।
ବିଶ୍ୱ ମାଇଗ୍ରେସନ୍ ରିପୋର୍ଟ ୨୦୨୪ ଅନୁଯାୟୀ ପ୍ରବାସୀ ଭାରତୀୟମାନେ ବିଶ୍ୱର ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନ କରିପାରୁଛନ୍ତି । ଏହା ସେମାନଙ୍କ ଦକ୍ଷତାର ବଳିଷ୍ଠ ପ୍ରମାଣ ବୋଲି କହିଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଭି. ମୁରଲୀଧରନ ।
ପ୍ରତ୍ୟେକ ପ୍ରବାସୀ ଭାରତୀୟଙ୍କ ମୂଳ ଭୂଖଣ୍ଡ ହେଉଛି ଭାରତର ଏକ ଗାଁ । ସେମାନଙ୍କ ଯୋଗଦାନ ଫଳରେ ଭାରତ ନିଜ ଅର୍ଥନୀତିକୁ ସୁଦୃଢ କରିବାରେ ସଫଳ ହୋଇପାରୁଛି ବୋଲି ପ୍ରଫେସର କନ୍ଦର୍ପ ମେହେତା କହିଥିଲେ । ମୋଗଲ ମହଲ ଗ୍ରୁପ, କୁଏତର ଶ୍ରୀ ଅଶୋକ କାର୍ଲା କହିଥିଲେ ଯେ ବର୍ତ୍ତମାନର ପ୍ରବାସୀ ଭାରତୀୟ ଜଳବାୟୁ ପରିବର୍ତ୍ତନ, ନୂତନ ପ୍ରଯୁକ୍ତିବିଦ୍ୟା, ସାଂସ୍କୃତିକ ଅଗ୍ରଗତି ଏବଂ ଜ୍ଞାନର ବିବିଧତା ସନ୍ଦର୍ଭରେ ଯାଇ ସମ୍ପର୍କର ସେତୁ ନିର୍ମାଣ କରୁଛି । ଭାରତୀୟ ଜ୍ଞାନ କୌଶଳର ନୂତନ ଅଭୁ୍ୟଦୟ ଆଜି ସାରା ବିଶ୍ୱରେ ଚହଳ ପକାଇ ପ୍ରବାସୀଙ୍କର ଯୋଗଦାନର ଗରିମା ବଖାଣୁଛି ଯାହାଫଳରେ ଭାରତ ବର୍ତ୍ତମାନ ବଶ୍ୱରେ ସ୍କିଲ କ୍ୟାପିଟାଲ ବା ଦକ୍ଷତା ରାଜଧାନୀ ଭାବେ ନିଜର ଭବିଷ୍ୟତ ଦେଖୁଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତୀୟ ଯୁବବର୍ଗ ବର୍ତ୍ତମାନ ନୂତନ ସୁଯୋଗ ପାଇ ବିଶ୍ୱ ପ୍ରଯୁକ୍ତିବିଦ୍ୟାକୁ ନିରନ୍ତର ଭାବରେ ତ୍ୱରାନ୍ୱିିତ କରୁଛନ୍ତି । ନିଜ ବକ୍ତବ୍ୟରେ ମାଗୋ ଏଣ୍ଡ ଆସୋସିଏଟ, ୟୁଏସ୍ଏର ଚେୟାରମ୍ୟାନ ତଥା ସିଇଓ ଶ୍ରୀ ଅଶୋକ ମାଗୋ କହିଥିଲେ ଯେ ଭାରତର ପ୍ରମୁଖ ପର୍ବ ଦୀପାବଳି ଆଜି ସମଗ୍ର ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ବିଶେଷ ପର୍ବ ଭାବେ ପାଳିତ ହେଉଛି, ଏହା ହେଉଛି ସଶକ୍ତ ପ୍ରବାସୀ ଭାରତୀୟଙ୍କ ଅତୁଳନୀୟ ଯୋଗଦାନର ସଫଳତା । ଦକ୍ଷିଣ ଆମେରିକୀୟ ଦେଶମାନଙ୍କରେ ଭାରତୀୟମାନଙ୍କ ପାଇଁ ସମସ୍ୟା ଏବଂ ଏହାର ପ୍ରତିକାର ବିଷୟରେ ମେଡ୍ରକ୍ କର୍ପୋରେସନ, (ପେରୁ-ବଲିଭିଆ)ର ପ୍ରତିଷ୍ଠାତା ଶ୍ରୀ ରୋହିତ ରନିାକର ରାଓ ଆଲୋଚନା କରିଥିବାବେଳେ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣର ମୁଖ୍ୟ ଫିଣ୍ଟେକ୍ ଅଧିକାରୀ ଶ୍ରୀ ସ୍ୱପ୍ନେନ୍ଦୁ ମହାନ୍ତି ଅର୍ଥନୀତି ସଂଯୋଗୀକରଣରେ ଭାରତୀୟଙ୍କ ଭୂମିକା ଏବଂ ୟୁପିଆଇ ସଫଳତା ପାଇଁ ପ୍ରବାସୀ ଭାରତୀୟଙ୍କ ଅବଦାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଆଲୋଚନାଚକ୍ରକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପି. କୁମାରନ ସଂଚାଳନ କରିଥିଲେ ।