ପୋଲିସ ସୁରକ୍ଷା ମାଗିଲେ ଦିବଙ୍ଗତ ନେତା ନବ ଦାସଙ୍କ ପୁଅ
ପରିବାରର କିଛି ଅସୁବିଧା ହେଲେ ସ୍ଥାନୀୟ ବିଧାୟକ ଦାୟୀ ହେବେ କହିଲେ ଝିଅ ଦିପାଳୀ ଦାସ
ଭୁବନେଶ୍ୱର, ୦୯/୦୧: ପୋଲିସ ସୁରକ୍ଷା ମାଗିଛନ୍ତି ଦିବଙ୍ଗତ ନେତା ନବ ଦାସଙ୍କ ପୁଅ ବିଶାଳ ଦାସ। ଆଇଜିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ବିଶାଳ। ସେ ଓ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଭିଯୋଗ କରିଛନ୍ତି। ଏହା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଆଜି ସକାଳେ ୯ଟାରେ ଝାରସୁଗୁଡ଼ା ପୋଲିସ ତାଙ୍କ ଘରକୁ ବିନା ସର୍ଚ୍ଚ ୱାରେଣ୍ଟରେ ପ୍ରବେଶ କରିଥିଲା। ସାଥିରେ କିଛି ଅଣ ପୋଲିସ ମଧ୍ୟ ଥିଲେ। ଗତ ଦୁଇ ବର୍ଷ ପୂର୍ବରୁ ତାଙ୍କ ପରିବାର ସହ ଯାହା ଘଟିଥିଲା, ତା’ପରେ ତାଙ୍କୁ ଡର ଲାଗୁଛି। ଆଜିର ପରିସ୍ଥିତି ପରେ ସେ ଓ ତାଙ୍କ ପରିବାରର ଭୟଭୀତ ଅବସ୍ଥାରେ ଅଛନ୍ତି। ଗୋଟିଏ ବ୍ୟକ୍ତିଗତ ସମ୍ପତି ଉପରେ ବିନା ସର୍ଚ୍ଚ ୱାରେଣ୍ଟରେ କିପରି ପୋଲିସ ପ୍ରବେଶ କରି ପାରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି ସ୍ୱର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦିପାଳୀ ଦାସ କହିଛନ୍ତି, ଦୁଇ ବର୍ଷ ପୂର୍ବରୁ ଜଣେ ପୋଲିସ ହାତରେ ମୋ ବାପାଙ୍କ ହତ୍ୟା ପରେ ଆମର ପୁରା ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। ଆଜିର ଘଟଣା ପରେ ଆମେ ଡରିକି ଅଛୁ। ବିନା ସର୍ଚ୍ଚ ୱାରେଣ୍ଟରେ କିପରି ବ୍ୟକ୍ତିଗତ ସମ୍ପତ୍ତିକୁ ପ୍ରବେଶ କରୁଛି ପୋଲିସ ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ତାଙ୍କ ପରିବାରର କାହାର କିଛି ଅସୁବିଧା ହୁଏ, ତାହାଲେ ଏଥିରେ ଦାୟୀ ହେବେ ସ୍ଥାନୀୟ ବିଧାୟକ, ପୋଲିସ ଓ ପ୍ରଶାସନ ଏବଂ ସ୍ଥାନୀୟ ଗୁଣ୍ଡା ବୋଲି ସେ କହିଛନ୍ତି।