ପୋଲିସ ମିତ୍ରଙ୍କ ହତ୍ୟା ଘଟଣା: ପରିବାରକୁ ୧ କୋଟିର କ୍ଷତିପୂରଣ ଦାବି କଲା ବିଜେଡି
ସାଧାରଣ ଲୋକଙ୍କ ସୁରକ୍ଷା ଆଜି ପ୍ରଶ୍ନବାଚୀ। ହତ୍ୟାକାରୀଙ୍କ ସହିତ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯାଉ।
ପୋଲିସ ମିତ୍ରକୁ ସୁରକ୍ଷା ପ୍ରଦାନ କରି ନପାରିବା ପୋଲିସର ବିଫଳତା
ଭୁବନେଶ୍ୱର, ୦୯/୦୧: ବିଜୁ ଜନତା ଦଳ ତରଫରୁ ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଗତକାଲି ଘଟିଥିବା ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କ ବିଭତ୍ସ ହତ୍ୟା ଘଟଣାରେ ସମ୍ପୃକ୍ତ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ଖୋଜି ବାହାର କରିବାର ଆବଶ୍ୟକ ଅଛି ବୋଲି କହିବା ସହିତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ।
ଶ୍ରୀ ଅନନ୍ତ ନାରାୟଣ ଜେନା କହିଥିଲେ, ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଜଣେ ପୋଲିସ ମିତ୍ରଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟିବା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି । ଜଣେ ପୋଲିସ ମିତ୍ରଙ୍କୁ ସୁରକ୍ଷା ପ୍ରଦାନ କରିବାରେ ପୋଲିସ ବିଫଳ ହେବା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ । ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଯଦି ଜଣେ ପୋଲିସ ମିତ୍ରଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଫଳ ହେଉଛି ତାହେଲେ ସାଧାରଣ ଲୋକଙ୍କୁ ପୋଲିସ କିପରି ସୁରକ୍ଷା ପ୍ରଦାନ କରିବ ।
ଶ୍ରୀ ଜେନା ଆହୁରି କହିଥିଲେ, ଏହି ହତ୍ୟା ଘଟଣାରୁ ରାଜ୍ୟରେ ବ୍ରାଉନ ସୁଗାର ବେପାର ଅହେତୁକ ଭାବେ ବୃଦ୍ଧି ପାଇଛି ବୋଲି ସ୍ପଷ୍ଟ ହେଉଛି । ଗତ କାଲି ହତ୍ୟାରେ ବ୍ରାଉନ ସୁଗାର ବେପାରରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଛି । ପୋଲିସ ଜଣେ ପୋଲିସ ମିତ୍ରକୁ ସୁରକ୍ଷା ଦେବାରେ ବିଫଳ ହୋଇଛି, ଯେଉଁଥିପାଇଁ ରାଜ୍ୟବାସୀଙ୍କ ମନରେ ପୋଲିସ ପ୍ରତି ଥିବା ଭରସାରେ ଆଞ୍ଚ ଆସିଛି । ତେଣୁ, ମୃତକ ସହଦେବଙ୍କ ପରିବାରକୁ ରାଜ୍ୟ ପୋଲିସ ତରଫରୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ ବୋଲି ବିଜୁ ଜନତା ଦଳ ତରଫରୁ ଆମେ ଦାବୀ କରୁଛୁ ।
ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ଏଭଳି ଏକ ବିଭତ୍ସ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଥିବାରୁ, ଭୁବନେଶ୍ୱର ମେୟର ଭାବେ ମୁଁ ଲଜ୍ଜିତ ଓ ମର୍ମାହତ । ସହଦେବ ନାୟକ ସଫେଇ କର୍ମଚାରୀ ସଙ୍ଘର ସଭାପତି ଭାବେ ଭୁବନେଶ୍ୱରକୁ ପରିଷ୍କାର ପରିଛନ୍ନ ରଖିବା କାର୍ଯ୍ୟରେ ନେତୃତ୍ୱ ନେଉଥିଲେ । ତାଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ ଓ ତାଙ୍କ ପତ୍ନୀଙ୍କୁ ଚାକିରୀ ଦିଆଯାଉ ।
ଶ୍ରୀ ସୁଶାନ୍ତ ରାଉତ କହିଥିଲେ, ସହରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଆସିବାକୁ ଥିବା ବେଳେ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ, ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିବା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ପୋଲିସ ଘଟଣାର ରହସ୍ୟକୁ ଉନ୍ମୋଚନ କରିବା ସହିତ ଷଡ଼ଯନ୍ତ୍ରକାରୀଙ୍କୁ ମଧ୍ୟ ଲୋକଲୋଚନକୁ ଆଣୁ ।