ରାଉରକେଲା ବନ୍ଧମୁଣ୍ଡା ବରକାନିରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟଣା

ନୂଆ ରେଳ ଲାଇନକୁ ବିରୋଧ ବେଳେ ଆଦିବାସୀ ଯୁବକ ଇତୋ ଏକ୍କାଙ୍କ ମୃତ୍ୟୁ ଉପରେ ଆଶୁ ହସ୍ତକ୍ଷେପ ପାଇଁ ବିଜେଡିର ଆହ୍ୱାନ

ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲା ବିଜେଡି

ଭୁବନେଶ୍ୱର, ୨୨/୦୪: ରାଉରକେଲା ବନ୍ଧମୁଣ୍ଡା ବରକାନିରେ ପ୍ରସ୍ତାବିତ ନୂଆ ରେଳ ଲାଇନକୁ ବିରୋଧ ବେଳେ ଜେସିବି ମାଡିଯିବାରୁ ଆଦିବାସୀ ଯୁବକ ଇତୋ ଏକ୍କାଙ୍କ ମୃତ୍ୟୁକୁ ନେଇ ଆଜି ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ।

ଆଦିବାସୀ ଅଧିକାରର ଗଭୀର ଉଲ୍ଲଂଘନ ଓ ପ୍ରଶାସନିକ ଅବହେଳା ଯୋଗୁଁ ଏହି ମୃତ୍ୟୁ ଘଟିଛି । ଚଳିତ ମାସ ୧୯ ତାରିଖରେ ବନ୍ଧମୁଣ୍ଡା ବରକାନିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ସମ୍ପ୍ରସାରଣ ହେଉଥିବା ରେଳ ଲାଇନ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଦିବାସୀମାନେ ୨୨,୦୦୦ ଏକର ଜମି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟକୁ ଦେଇଥିଲେ, ବଳକା ୬୦୦୦ ଏକର ଜମି ଯାହା ଆଦିବାସୀମାନଙ୍କୁ ଫେରସ୍ତ ହେବାର ଥିଲା । ଆରଏସ୍ପିର ସମ୍ପ୍ରସାରଣ ହୋଇଥିବାରୁ ସେହି ଜମିରେ ନୂଆ ରେଳ ଲାଇନ କରାଯାଉଛି, ଯାହାଫଳରେ ଆଦିବାସୀମାନେ ତାଙ୍କ ଜମି ଫେରିପାଇବା ବଦଳରେ ସେମାନଙ୍କୁ ବିସ୍ଥାପିତ ହେବାକୁ ପଡୁଛି ।

ଏହାକୁ ବିରୋଧ କରି ଆଦିବାସୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବେଳେ ୩୫ ବର୍ଷ ବୟସର ଇତୋ ଏକ୍କା ନାମକ ଜଣେ ଆଦିବାସୀ ଯୁବକଙ୍କୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅଧିକାରୀ ଓ ସ୍ଥାନୀୟ ପୋଲିସର ଉପସ୍ଥିତିରେ ଜେସିବି ଲଗାଇ ଚାପି ମାରିଦିଆଯାଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଏହି ଘଟଣା ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ଦର୍ଶାଉଛି । ବିଜେପି ସରକାରରେ ଆଦିବାସୀମାନେ ସୁରକ୍ଷିତ ନଥିବା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ । ଓଡିଶାର ଆଦିବାସୀ ସମୁଦାୟଙ୍କ ଅଧିକାର ଓ ମଙ୍ଗଳ ପାଇଁ ବିଜେଡି ସଂକଳ୍ପବଦ୍ଧ ରହିଛି । ଆଗାମୀ ଦିନରେ ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ହେଉଥିବା ଅନ୍ୟାୟ ରୋକିବା ପାଇଁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ ।

ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝି ଓ ଡ଼ ଲେନିନ ମହାନ୍ତି, ଶ୍ରୀମତୀ ଭାରତୀ ସିଂହ, ଶ୍ରୀମତୀ ରଞ୍ଜିତା ସାହୁ, ଶ୍ରୀମତୀ ଇପ୍ସିତା ସାହୁ, ସୋଫିଆ ଆଲାମ, ଶ୍ରୀ ବିଶ୍ୱପ୍ରତାପ ସାହୁ ଓ ଶ୍ରୀ ଅରୁପ ଶ୍ରୀଚନ୍ଦନ ସାମିଲ୍ ଥିଲେ ।