ମାଲକାନଗିରି, ୧୮/୮: ଆଜି ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ଉଭୟ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ସହ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ପାଇଁ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅତିପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଥିବାରୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।
ଅନ୍ୟପଟେ ଆଜି ସକାଳୁ ମାଲକାନଗିରିରେ NH ୩୨୬ ପୋଟେରୁ-କଂଗୃକୋଣ୍ଡା ପୋଲ ଉପରେ ୫ ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି। କାଲିମେଳା ଓ ପଡିଆ ମୁଖ୍ୟରାସ୍ତାର କନ୍ୟାଶ୍ରମ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଯାହା ଫଳରେ କାଲିମେଳା ଓ ପଡିଆକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ସେହିପରି ନବରଙ୍ଗପୁରରେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କାରେ ଓଡ୍ରାଫ ଟିମ୍ ପ୍ରସ୍ତୁତ ରହିଛନ୍ତି। ବିଡ଼ିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।