ଆଳି, ୧୮/୮: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ଏକମାଣିଆ ଗ୍ରାମପଞ୍ଚାୟତରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସବୁଦିନ ପରି ରବିବାର ସକାଳେ ଚରିବା ପାଇଁ ସ୍ଥାନୀୟ ଗଳିଆ ନାଳିରେ ପଶିଥିଲେ ମଇଁଷି ପଲ। ହେଲେ ନାଳି ଉପରକୁ ଉଠି ପାରିଲେ ନାହିଁ ମଇଁଷିମାନେ। ଆଶ୍ଚର୍ଯ୍ୟଜନକ ଭାବେ ନାଳରେ ଗୋଟେ ପରେ ଗୋଟେ ମଇଁଷି ବୁଡ଼ିଗଲେ।
ଗ୍ରାମର ତିନି ତିନିଜଣ ବ୍ୟକ୍ତିଙ୍କର ପ୍ରାୟ ୩୫ ରୁ ଅଧିକମଇଁଷି ଗଳିଆ ନାଳିରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ୩୭ରୁ ଅଧିକ ମଇଁଷି ନିଖୋଜ ହୋଇଯାଇଛନ୍ତି। ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସାଧାରଣତଃ ମଇଁଷି ପଲ ଅତିସହଜରେ ନଦୀନାଳ ପାର ହୋଇଯାଉଥିବାବେଳେ ହଠାତ୍ ଏଭଳି ଘଟଣା କିପରି ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛିl
ମଇଁଷି ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ, କୁମ୍ଭୀର ଆକ୍ରମଣ ହୋଇଥିବାର ଚର୍ଜା ଜୋର୍ ଧରିଛି। ମଇଁଷି ପାଳୁଥିବା ୩ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଏଭଳି ଘଟଣାକୁ ନେଇ ମଇଁଷି ପାଳନ କରି ନିଜ ପରିବାରକୁ ପ୍ରତିପୋଷଣ କରୁଥିବା ୩ ପରିବାର ହତବାକ ହୋଇ ହାଇ ଯାଇଛନ୍ତି।
ଏକମାଣିଆ ସେତୁ ନିକଟରୁ କିଛି ଦୂରରେ ବନ୍ଧା ହେଉଥିବା ଏକମାଣିଆ ଗ୍ରାମର ଗଣେଶ ଦାସଙ୍କର ୩୦ଟି, ଜଗନ୍ନାଥ ଦାସଙ୍କର ୩୦ଟି ଓ ନଳପାହି ଗ୍ରାମର ପରମାନନ୍ଦ ବିଶ୍ୱାଳଙ୍କର ୧୨ଟି ମଇଁଷି ଚରିବା ନିମନ୍ତେ ଯାଇଥିଲେ। ମଇଁଷିଗୁଡ଼ିକ ବ୍ରାହ୍ମଣୀ ନଦୀରୁ ଦକ୍ଷିଣଡିହା ଆଡ଼କୁ ଯାଇଥିବା ଶାଖା ଗଳିଆ ନାଳ ମଧ୍ୟକୁ ଗୋଟିଏ ପରେ ଗୋଟିଏ ଯାଇଥିଲେ।
କିନ୍ତୁ ନାଳି ମଧ୍ୟରେ ପଶିଥିବା ମଇଁଷିଗୁଡ଼ିକ ପାଣିରେ ହଠାତ ବୁଡ଼ି ଯାଇଥିଲେ। ଏହା ଦେଖି ମଇଁଷି ଜଗୁଆଳୀ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଡ଼ଙ୍ଗା ନେଇ ନାଳି ମଧ୍ୟରେ ଖୋଜାଖୋଜି କରି ପ୍ରାୟ ୩୫ଟି ମଇଁଷିର ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟ ମଇଁଷି ଗୁଡ଼ିକ ନାଳ ସ୍ରୋତରେ ଭାସି ଯାଇଥିବା ବେଳେ ଦଳବଣ ମଧ୍ୟରେ କିଛି ବୁଡ଼ି ରହିଥିବା ମଧ୍ୟ ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।
ଗୋଟିଏ ଦିନରେ ଏକ ସମୟରେ ଏତେ ସଂଖ୍ୟକ ମଇଁଷିଙ୍କର ଗୋଟିଏ ସ୍ଥାନରେ ଆକସ୍ମିକ ମୃତ୍ୟୁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କାରଣ ସାଧାରଣତଃ ସମସ୍ତେ ଜାଣନ୍ତି ମଇଁଷି ଅଥଳ ନଦୀ ଗର୍ଭରେ ପହଁରି ଯାତାୟାତ କରିବା ସହ ଘଣ୍ଟା ଘଣ୍ଟା ଧରି ପାଣିରେ ପଡ଼ି ରହନ୍ତି। କିନ୍ତୁ ଏକମାଣିଆରେ ଘଟିଥିବା ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ମୃତ୍ୟୁ ଘଟିଥିବା ମଇଁଷିଗୁଡ଼ିକ ସବୁଦିନ ଯେଉଁ ସ୍ଥାନ ଦେଇ ଚରିବାକୁ ଯାଆନ୍ତି ଆଜି ସେହି ସ୍ଥାନରେ ବୁଡ଼ିଯିବା ଘଟଣାକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ଅନ୍ୟପକ୍ଷରେ କୁମ୍ଭୀର ପଲ ଆକ୍ରମଣ କରିବା
ଯୋଗୁଁ ମଇଁଷିଗୁଡ଼ିକ ନାଳି ମଧ୍ୟରେ ବୁଡ଼ିଯିବା ଆଲୋଚନା ହେଉଥିବା ବେଳେ ମଇଁଷି ମୃତ୍ୟୁ ଘଟଣା ପଛରେ କ’ଣ ରହସ୍ୟ ରହିଛି ତାହା ଜଣାପଡୁନି। ଜିଲ୍ଲା ପ୍ରଶାସନ ମୃତ୍ୟୁର କାରଣ ସ୍ପଷ୍ଟ କରିବା ନିମନ୍ତେ ଶବ ବ୍ୟବଚ୍ଛେଦ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏହି ଲୋକମାନେ ବିଭିନ୍ନ ସ୍ଥାନରୁ ଋଣ କରି ମଇଁଷି କିଣିଥିବା ବେଳେ ଋଣ ଶୁଝିବା ପୂର୍ବରୁ ମଇଁଷିଗୁଡ଼ିକର ଆକସ୍ମିକ ମୃତ୍ୟୁ ସେମାନଙ୍କୁ ମାନସିକ ଓ ଆର୍ଥିକ ଭାବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି।
ଏନେଇ ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର ଓ ଆଳି ବ୍ଲକ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅଧିକାରୀ ବଦ୍ରି ନାରାୟଣ ଚାନ୍ଦଙ୍କୁ ପଚାରିବାରୁ ଏହି ଘଟଣା ବନବିଭାଗ ବୁଝିବ ବୋଲି ପ୍ରକାଶ କରିଛନ୍ତି। ତେବେ ରାଜନଗର ବନ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଅପରପକ୍ଷେ ଏଭଳି ଏକ ଘଟଣାକୁ ନେଇ ଏକମାଣିଆ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଅପରାହ୍ନରେ କ୍ଷତିଗ୍ରସ୍ତ ପରିବାର ସହ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ ବିଶ୍ଵାଳ ଓ ଗ୍ରାମବାସୀମାନେ ରାଜନଗରରେ ଥିବା ବନବିଭାଗ ଅଧିକାରୀଙ୍କୁ ସୂଚନା ଦେବା ସହିତ କ୍ଷତିପୂରଣ ଦାବି କରିବା ନିମନ୍ତେ ଯାଇ ଥିବାର ସୂଚନା ମିଳିଛି l