ଇଗ୍ନୋ DECE ପାଠ୍ୟକ୍ରମର ଓଡ଼ିଆ ସଂସ୍କରଣ ଉନ୍ମୋଚିତ

ପାଠ୍ୟକ୍ରମ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଉପକୃତ ହେବେ ଅଙ୍ଗନୱାଡି ପ୍ରଶିକ୍ଷକ ଓ NGO ସଦସ୍ୟ

ଭୁବନେଶ୍ୱର, ୧୮/୮: ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଆଜି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର DECE ପାଠ୍ୟକ୍ରମର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହି ପାଠ୍ୟକ୍ରମ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ।

ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରିବା ପାଇଁ ଗତ ଜୁନ୍‌ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍‌ନାଲ୍‌ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି କ୍ରମରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଡ଼ି. ଇ. ସି. ଇ (Diploma Programme in Early Childhood Care and Education) କୋର୍ସର ପାଠ୍ୟକ୍ରମ ଓ ପାଠ୍ୟ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରାଯାଇଛି, ଯାହାର ଆଜି ଶୁଭ ଉନ୍ମୋଚନ ହୋଇଛି। ଆଗରୁ IGNOU ଦ୍ୱାରା ଏହି ପାଠ୍ୟକ୍ରମ ଇଂରାଜୀ, ହିନ୍ଦୀ ଓ ତାମିଲ ଭାଷାରେ ପ୍ରଦାନ କରାଯାଉଥିଲା, ବର୍ତ୍ତମାନ ଏହାକୁ ଓଡ଼ିଆ ଭାଷାରେ ମଧ୍ୟ ପ୍ରଦାନ କରାଯିବ।

Diploma Programme in Early Childhood Care and Education ହେଉଛି ୧ ବର୍ଷିଆ କୋର୍ସ। ଶିକ୍ଷାର୍ଥୀମାନେ +୨ ପରେ IGNOUର ଏହି କୋର୍ସରେ ନାମ ଲେଖାଇପାରିବେ। ଏହି କୋର୍ସରେ ମୁଖ୍ୟତଃ ୪ଟି ବିଷୟବସ୍ତୁ ଯଥା: (A) Organizing Child, (B) Child Health and Nutrition, (C)Services and Programmes, (D) Project Work: Working with Young Children in a Child care setting ଉପରେ ଶିକ୍ଷା ପ୍ରଦାନ କରାଯିବ। ପାଠ୍ୟପୁସ୍ତକ ସହ ଶିକ୍ଷାର୍ଥୀମାନଙ୍କୁ ଅଡ଼ିଓ କ୍ୟାସେଟ ଏବଂ ଭିଡିଓ ଟ୍ୟୁଟୋରିଆଲ ମଧ୍ୟ ପ୍ରଦାନ କରାଯିବ। ଉଭୟ Theory ଓ Practical ବିଷୟବସ୍ତୁକୁ ଉକ୍ତ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାଦ୍ୱାରା ଶିକ୍ଷାର୍ଥୀମାନେ Theory ପଢିବା ସହ Practical Exposure ମଧ୍ୟ ପାଇପାରିବେ।

ଏହି କୋର୍ସ ମାଧ୍ୟମରେ ବିଶେଷ ଭାବରେ ଆମ ବାଲ୍‌ ବାଟିକା ଏବଂ ଅଙ୍ଗନୱାଡ଼ିରେ କାର୍ଯ୍ୟ କରୁଥିବା କର୍ମୀ ଓ ପ୍ରଶିକ୍ଷକମାନେ ଉପକୃତ ହୋଇପାରିବେ। ଓଡ଼ିଆ ଭାଷାରେ Diploma Programme in Early Childhood Care and Education ପାଠ୍ୟକ୍ରମ ପ୍ରଚଳନ ହେବା ଦ୍ୱାରା ଆମ ବାଲ୍‌ ବାଟିକା ଏବଂ ଅଙ୍ଗନୱାଡ଼ି କର୍ମୀ ଓ ପ୍ରଶିକ୍ଷକମାନେ ଉକ୍ତ ପାଠ୍ୟକ୍ରମକୁ ସହଜ ଓ ସରଳ ପଦ୍ଧତିରେ ପଢ଼ିପାରିବେ। ତତ୍‌ସହିତ ଉକ୍ତ ପାଠ୍ୟକ୍ରମଟି Early Childhood Care and Education sector ରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିବିଶେଷ, ଅନୁଷ୍ଠାନ, NGO, Play School ର କର୍ମକର୍ତ୍ତାଙ୍କ ପାଇଁ ମଧ୍ୟ ସହାୟକ ହେବ।

ପ୍ରାରମ୍ଭିକ ଶିକ୍ଷା ହେଉଛି ଆମ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ। ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିଲେ ଆମ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। IGNOU ଦ୍ୱାରା ପ୍ରଦାନ କରାଯାଉଥିବା ଏହି କୋର୍ସ ନିଶ୍ଚିତ ରୂପେ ଆମ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ, କର୍ମୀ ଓ ପ୍ରଶିକ୍ଷକମାନଙ୍କର ଦକ୍ଷତା ବିକାଶ କରିବ, ଯଦ୍ୱାରା ସେମାନେ ସୁଗମ ଓ ପ୍ରୟୋଗାତ୍ମକ ଶିକ୍ଷା ପଦ୍ଧତି ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରିପାରିବେ।

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା, ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥା ଠାରୁ ନେଇ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାଦାନ ପଦ୍ଧତିକୁ ମାତୃଭାଷାରେ ପ୍ରଚଳନ କରିବାର ଲକ୍ଷ୍ୟ ରଖାଯାଇଛି। ମାତୃଭାଷାରେ ଶିକ୍ଷା ଲାଭ କଲେ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତାର ବିକାଶ ହୋଇପାରିବ। ତୃଣମୂଳ ସ୍ତରରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। “ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା”ର ଲକ୍ଷ୍ୟକୁ ହାସଲ କରାଯାଇପାରିବ।

IGNOU ଦ୍ୱାରା Diploma in Early Childhood Education ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରିବା ଅୟମାରମ୍ଭ ମାତ୍ର, ଆଗକୁ IGNOU ର ଅନ୍ୟ ପାଠ୍ୟକ୍ରମକୁ ମଧ୍ୟ ଓଡ଼ିଆରେ ପ୍ରଚଳନ କରାଯିବ ଯାହାଦ୍ୱାରା ଆମ ସମ୍ପର୍ଣ୍ଣ ଶୈକ୍ଷିକ ସମାଜ ଉପକୃତ ହେବେ।