ଭୁବନେଶ୍ୱର, ୨୧/୮: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଚଳିତ ବର୍ଷ ମୌସୁମୀ ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ହେବାର ସମ୍ଭାବନା ଅଛି। ଗୋଟିଏ ଦିନ ପ୍ରାଇଭେଟ ମେମ୍ବର ବିଲ୍ ଏବଂ ଗୋଟିଏ ଦିନ ନୋ ଅଫିସ ଡେ ରହିଛି। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍ ପକ୍ଷରୁ ସୂଚନା ମିଳିଛି।
ଏହି ଅଧିବେଶନ ସମୟରେ ବିରୋଧୀ ଦଳ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ସରକାରଙ୍କୁ ପ୍ରଶ୍ନ ପଚାରିବାର ସମ୍ଭାବନା ଅଛି। ବିଶେଷକରି ବିରୋଧୀ ଦଳ ଏଫଏମ୍ କଲେଜ ଛାତ୍ର ମୃତ୍ୟୁ ଘଟଣା, ବଳଙ୍ଗା ଛାତ୍ର ପୋଡ଼ି ଘଟଣା, ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, ଗୋପାଳପୁର ଯୌନ ନିର୍ଯାତନା ମାମଲା, ମହାନଦୀ ଜଳ ବିବାଦ ପ୍ରସଙ୍ଗ ଏବଂ ପୋଲାଭରମ୍ ପ୍ରସଙ୍ଗ ଇତ୍ୟାଦି ଉପରେ ପ୍ରଶ୍ନ ଉଠାଇବାର ଆଶା କରାଯାଉଛି।