ଭିଜିଲାନ୍ସ ସ୍କାନରରେ ସିନିଅର ଆସିଷ୍ଟାଣ୍ଟ
ସିନିଅର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍
୧.୨୪ କୋଟି ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗ
କଟକ, ୨୨/୮: ଭିଜିଲାନ୍ସ ସ୍କାନରରେ ସିନିଅର ଆସିଷ୍ଟାଣ୍ଟ। କଟକ ସିଟି ହସ୍ପିଟାଲର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଅତର୍କିତ ଚଢାଉ କରିଛି ଭିଜିଲାନ୍ସ। ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। କିଶୋର ସାହାଣୀଙ୍କ ନାଁରେ ୧ କୋଟି ୨୪ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଥିଲା।
ସାହାଣୀଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଚୌଦାର ପ୍ରଧାନିଆ ସ୍ଥିତ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଛାନଭିନ୍ ଚାଲିଛି। ଜୋବ୍ରା ସ୍ଥିତ ୩ ମହଲା ଘର, ସିଡିଏମଓ ଅଫିସ, କିଶୋରନଗର ସ୍ଥିତ ପୈତୃକ ଘର ଓ ଦେଉଳ ସାହି ସ୍ଥିତ ଶ୍ବଶୁର ଘରେ ବି ଚାଲିଛି ଛାନଭିନ। କଟକ ଓ ଯାଜପୁର ଭିଜିଲାନ୍ସର ୭ ଜଣିଆ ଟିମ୍ ଏହି ଚଢାଉ କରିଛନ୍ତି। ୯ ଡିଏସପି, ୧୦ ଇନ୍ସପେକ୍ଟର ଓ ୭ ଜଣ ଏସଆଇ ଏହି ଚଢ଼ାଉରେ ସାମିଲ ଅଛନ୍ତି।
ଏଯାବତ୍ ଚଢ଼ାଉରେ ଜୋବ୍ରା ସ୍ଥିତ ଘରୁ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଅନେକ ଜମି ପଟ୍ଟା କାଗଜପତ୍ର ଜବତ ହୋଇଛି। ଆହୁରି ଖୋଳତାଡ଼ ଚାଲିଛି।