ଭୁବନେଶ୍ୱର ବିମାନବନ୍ଦର ପରିସରରେ‘ଉଡାନ ଯାତ୍ରୀ କାଫେ’ର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ
ରାଜ୍ୟର ୨୨ ଅକାମୀ ଏୟାରଷ୍ଟ୍ରିପର କାର୍ଯ୍ୟକ୍ଷମ ହେବ
ପୁରୀ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ: କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ୱର, ୨୫/୮: ଭୁବନେଶ୍ୱର ବିମାନବନ୍ଦର ପରିସରରେ ‘ଉଡାନ ଯାତ୍ରୀ କାଫେ’ର ଉଦଘାଟନ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରାଜ୍ୟର ୨୨ଟି ଅକାମୀ ଏୟାରଷ୍ଟ୍ରିପ୍କୁ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ଯାହାଦ୍ୱାରା ଆଞ୍ଚଳିକ ବିମାନ ସଂଯୋଗ ବୃଦ୍ଧି ପାଇବ। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ବହୁ ପ୍ରତୀକ୍ଷିତ ପୁରୀ ବିମାନବନ୍ଦର ପ୍ରକଳ୍ପ ଆଗକୁ ବଢ଼ୁଛି। ପ୍ରଭୁ ଜଗନ୍ନାଥଙ୍କ ନାମରେ ନାମିତ ହେବାକୁ ଥିବା ବିମାନବନ୍ଦର ପାଇଁ ପୂର୍ବରୁ ଜମି ଏବଂ ଆବଶ୍ୟକୀୟ ମଞ୍ଜୁରୀ ମିଳିସାରିଛି। ଖୁବ୍ଶୀଘ୍ର ଭୂମି କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ସଂପ୍ରସାରଣ କାମ ଖୁବ୍ଶୀଘ୍ର ଆରମ୍ଭ ହେବ। ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଭୁବନେଶ୍ୱର ଏୟାରପୋର୍ଟରେ ତୃତୀୟ ଟର୍ମିନାଲ୍ ହେବ। ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି। ଏବେ ଦେଶର ଅନେକ ଛୋଟ ସହରରେ ବିମାନବନ୍ଦର ନିର୍ମାଣ ହୋଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମରେ ୩୫୦ ନୂଆ ଏୟାରପୋର୍ଟ କରାଯିବାର ଯୋଜନା ରହିଛି। ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି ଲକ୍ଷ୍ୟ। ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିସାରିଛି। ରାଜ୍ୟ ସରକାର କେବେ କାମ ଆଗକୁ ବଢାଉଛନ୍ତି, ତାକୁ ହିଁ ଅପେକ୍ଷା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।