ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ନେଇ ଅପମାନଜନକ ମନ୍ତବ୍ୟ

ଦେଶର ପ୍ରତ୍ୟେକ ମା’ଙ୍କୁ ଅପମାନ କଂଗ୍ରେସ-ଇଣ୍ଡିର ପରିଚୟ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ବର, ୨/୯: ବିହାରର ଦରଭଙ୍ଗାରେ କଂଗ୍ରେସ-ଆରଜେଡିଙ୍କ ମଞ୍ଚରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ବି ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିବଙ୍ଗତ ଶ୍ରଦ୍ଧେୟ ମା’ଙ୍କୁ ଅପମାନଜନକ ଶବ୍ଦ କୁହାଯିବା – ଏକ ଅତ୍ୟନ୍ତ ନିନ୍ଦନୀୟ ଓ ଲୋକତନ୍ତ୍ରକୁ ଲଞ୍ଛିତ କରୁଥିବା ଘଟଣା।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ରାଜନୀତି ଏବେ ଏମିତି ଅବମାନବୀୟ ସ୍ତରକୁ ପହଞ୍ଚିଛି ଯାହା ଦେଶର ସାଂସ୍କୃତିକ ଐତିହ୍ୟକୁ ମଧ୍ଯ ଅପମାନ କରିଛି।

ରାହୁଲ ଗାନ୍ଧୀ ଏମିତି ଅଭଦ୍ର ଭାଷାକୁ ପ୍ରୋତ୍ସାହନ ଦେଇ, ଦେଶର ମାତୃଶକ୍ତିକୁ ଅପମାନ କରି, ନିଜର ରାଜନୈତିକ ସ୍ବାର୍ଥ ସାଧନ କରିବାକୁ ଚାହୁଁଛନ୍ତି କି?

ଏହା କେବଳ ୧୪୦ ଅତି ଜନତାଙ୍କୁ ନିଜ ପରିବାର ଭାବେ ସ୍ଵୀକାର କରିଥିବା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅପମାନ ନୁହେଁ; ଏହା ଦେଶର ସେଇ ସମସ୍ତ ମା’ଙ୍କୁ ଅପମାନ, ଯେଉଁମାନେ ଦାରିଦ୍ର୍ୟରେ ମଧ୍ୟ କଠିନ ପରିଶ୍ରମ କରି, ସନ୍ତାନଙ୍କୁ ଭଲ ସଂସ୍କାର ଦେଇ, ସମ୍ମାନଜନକ ଜୀବନ ଗଢ଼ିଥାନ୍ତି।

ଆଜି ପ୍ରତ୍ୟେକ ମା’ର ହୃଦୟ ଦୁଃଖିତ, ବିହ୍ବଳ ଓ କ୍ରୋଧିତ। ୨୮ ଅଗଷ୍ଟରେ ରାହୁଲ ଗାନ୍ଧୀଙ୍କ ମଞ୍ଚରୁ ସମଗ୍ର ଦେଶର ମା’ମାନଙ୍କୁ ଅପମାନ କରାଗଲା। କିନ୍ତୁ ନା ରାହୁଲ ଗାନ୍ଧୀ, ନା ତେଜସ୍ବୀ ଯାଦବ, ନା ଇଣ୍ଡିଆ ଗଠବନ୍ଧନର ଅନ୍ୟ କୌଣସି ନେତା — ଏ ପର୍ଯ୍ୟନ୍ତ କ୍ଷମା ମାଗିଲେ ନାହିଁ ।

ଏହା ପ୍ରମାଣ କରୁଛି ଯେ, ଏହି ନେତା ମାନଙ୍କର ମାନସିକତା କେତେ ସଂକୀର୍ଣ୍ଣ। ଦେଶର ପ୍ରତ୍ୟେକ ନାରୀ, ପ୍ରତ୍ୟେକ ମା’ଙ୍କୁ ବି ଏହିପାଇଁ ରାସ୍ତାରେ ଆସିବାକୁ ପଡିବ? ଇଣ୍ଡି ମେଣ୍ଟ ଦେଶକୁ କେଉଁ ଦିଗକୁ ନେବାକୁ ଚାହୁଁଛନ୍ତି?

ମା’ ଙ୍କ ଆଶୀର୍ବାଦରେ, ସଂଘର୍ଷ ଓ ପରିଶ୍ରମରେ ଜୀବନ କାଟିଥିବା ମା’ଙ୍କୁ ସାର୍ବଜନୀନ ମଞ୍ଚରୁ ଅପମାନ କରାଗଲା; ଯାହାକୁ ଭାରତୀୟ ସଂସ୍କୃତି କେବେ ହେଲେ ସ୍ୱୀକାର କରିବ ନାହିଁ।

ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ଏହି ଏହି ଅଭଦ୍ର ଭାଷା ରାଜନୀତିକ ମର୍ଯ୍ୟାଦାକୁ ଭାଙ୍ଗିଛି।