ବେଆଇନ ଭାବେ ଚାଲୁଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବସ ଅଟକ

ଛାତ୍ରଛାତ୍ରୀଙ୍କ ନିରାପତ୍ତା ସହ ଖେଳ

କୋରାପୁଟ ୧୦/୯ : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକ ବସ୍ ବିନା ପରମିଟରେ ଚାଲୁଥିବା ନଜରକୁ ଆସିଛି। ରେଜିଷ୍ଟ୍ରେସନ ନମ୍ବର OD10L 3939 ଥିବା ବସର କୌଣସି ପରମିଟ ନଥିବାରୁ କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ପକ୍ଷରୁ ବସଟିକୁ ଅଟକ ରଖାଯାଇଛି। ସାଧାରଣତଃ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କ ଗମନା ଗମନ ସୁବିଧା ପାଇଁ ବସ୍ ଭଡ଼ାରେ ବ୍ୟବହାର ହୋଇଥାଏ। ଏହି ବସ୍ ବ୍ୟବହାର ପାଇଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ତରଫରୁ ଏକ ଟେଣ୍ଡର ପ୍ରକ୍ରିୟା ଜାରି କରାଯାଇଥାଏ। ଟେଣ୍ଡର ପାଇଥିବା ବ୍ୟକ୍ତି ଭଡା ହିସାବରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟକୁ  ବସ୍ ଯୋଗେଇଥାନ୍ତି। କିନ୍ତୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବହୁତ ଅନିୟମିତତା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କ ନିରାପତ୍ତା ସହ ବିଶ୍ୱବିଦ୍ୟାଳୟ ପ୍ରଶାସନ କାହା ସ୍ୱାର୍ଥରେ ଖେଳ ଖେଳୁଛି, ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ  ପାଇଁ ଉଦ୍ଦିଷ୍ଟ ଥିବା ବସକୁ କିଭଳି ଓ କାହା ସ୍ୱାର୍ଥରେ ବିଶ୍ଵବିଦ୍ୟାଳୟରେ ବ୍ୟବହାର କରାଯାଉଛି ଏହାକୁ ନେଇ ପ୍ରଶ୍ନ ଉଠିଛି।  ବସ୍ ବିନା ପରମିଟରେ ଚାଲୁଥିବା ଓ ରେଜିଷ୍ଟ୍ରେସନ ସମୟରେ ପରମିଟ ବିନା ବସକୁ ବିଶ୍ଵବିଦ୍ୟାଳୟ ଟେଣ୍ଡର ପ୍ରକ୍ରିୟାରେ କିପରି ଅନୁମତି ଦିଆଗଲା ସନ୍ଦେହ ସହିତ ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ, ବସ ମାଲିକ ଓ ପରିବହନ ବିଭାଗର କେତେକ କର୍ମଚାରୀଙ୍କ ମଧ୍ୟରେ “ମଧୁଚନ୍ଦ୍ରିକା” ଚାଲିଥିବା କଥା ମଧ୍ୟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଦୀର୍ଘ ବର୍ଷ ଧରି ବେନିୟମ ଭାବରେ ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷ  ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜିରେ ଲଗେଇ କିପରି ବସକୁ ନିୟୋଜିତ କରିଥିଲେ, ତାହା ଜାଣିପାରିଲେନି କି ପରିବହନ ବିଭାଗ, ନା ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷ—ଏହା ନେଇ ପ୍ରଶ୍ନ ସ୍ୱାଭାବିକ। ଏହାକୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଆହୁରି ଅନେକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରିବ।

ସୂଚନା ଯୋଗ୍ୟ, ପରିବହନ ବିଭାଗର ଜଣେ ପୂର୍ବତନ “କୋଟିପତି” ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃତିକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଥିବା ବେଳେ, ବିଶ୍ୱବିଦ୍ୟାଳୟର ଅନ୍ୟ ବସଗୁଡ଼ିକର ଯାଞ୍ଚ ହେବ କି ନାହିଁ, ତାହା ଏବେ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଧାନ ଆଲୋଚନାର ବିଷୟ ପାଲଟିଛି। ଏହି ବିଷୟରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଯୋଗାଯୋଗ ମିଳି ପାରିନଥିଲା ଅପରପକ୍ଷେ ପରିବହନ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି ବସଟିକୁ ପରମିଟ ଭାଇଲେସନ୍‌ରେ ଅଟକ ରଖା ଯାଇଛି। ଅନ୍ୟ ବସଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯିବ।