ଓଏଏସ ଟପ୍ପରଙ୍କ ଲାଞ୍ଚ ଲୋଭ

ଦିନେ ପ୍ରେରଣା ସାଜିଥିଲେ ଆଜି ଦୁର୍ନୀତିରେ ଲିପ୍ତ

ଭୁବନେଶ୍ୱର, ୧୨/୯: ଆଜି ଗୋଟିଏ ଦିନରେ ଦୁଇ ଜଣ ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରା ପଡ଼ିଛନ୍ତି।‌ କିନ୍ତୁ ମୁଖ୍ୟ ପ୍ରସଙ୍ଗ ହେଉଛି ପ୍ରଥମ ବ୍ୟକ୍ତି ଯିଏ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ସେ ହେଉଛନ୍ତି ବାମରା ତହସିଲଦାର। ସେ ହେଉଛନ୍ତି ୨୦୧୯ ମସିହାର ଓଏଏସ୍ ଟପର୍ ଅଶ୍ୱିନୀ ପଣ୍ଡା।

୨୦୧୯ ମସିହାର ଓଏଏସ୍ ଟପର୍ ଅଶ୍ୱିନୀ ପଣ୍ଡା, ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର ବାମରା ତହସିଲଦାର ଭାବରେ କାର୍ଯ୍ୟରତ ଅଛନ୍ତି। ୧୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ିଥିଲେ। ଏକ ମ୍ୟୁଟେସନ୍ ମାମଲାରେ କୃଷି ଜମିକୁ ଘର ଜମିରେ ପରିଣତ କରିବା ପାଇଁ ଏହି ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଏହି ଲାଞ୍ଚ ଟଙ୍କା ଜବତ କରିଛନ୍ତି।

ତେବେ ଜଣେ ଓଏଏସ ଟପ୍ପର ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବା ବଦଳରେ ଏଭଳି ଲାଞ୍ଚ ନେବା ଓ ଜନସାଧାରଣଙ୍କ ବିଶ୍ୱସନୀୟତା ବଜାୟ ରଖିବାକୁ କାର୍ଯ୍ୟ କରିବା ବଦଳରେ ଦୁର୍ନୀତିରେ ଲିପ୍ତ ହେବା ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟତଃ ଦୁର୍ନୀତିରେ ଲିପ୍ତ ଥାଆନ୍ତି। କିନ୍ତୁ ଯୁବ ପ୍ରଶାସକଙ୍କ ଏଭଳି ଦୁର୍ନୀତିରେ ଲିପ୍ତ ହେବା ଆଗାମୀ ଆଶାୟୀଙ୍କ ପାଇଁ ନକରାତ୍ମକ ବାର୍ତ୍ତା ସୃଷ୍ଟି କରୁଛି।