ଗ୍ରାମୀଣ ରୋଜଗାରର ବଳିଷ୍ଠ ମାଧ୍ୟମ ଖଦି: ମନ୍ତ୍ରୀ
୪୨ ଗୋଟି ଖଦି ସଂସ୍ଥାକୁ ଉପକରଣ ବଣ୍ଟନ କଲେ ମନ୍ତ୍ରୀ। ପ୍ରତି ଖଦି ଅନୁଷ୍ଠାନକୁ ୮୫ ହଜାର ଟସର କୋଷା ବଣ୍ଟନ।
ସ୍ଵାବଲମ୍ବନ, ସ୍ୱାଧୀନତା, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ ହେଉଛି ଖଦି
ଭୁବନେଶ୍ୱର, ୧୭/୯: ଖଦି କେବଳ ବସ୍ତ୍ର ନୁହେଁ, ଏହା ସ୍ଵାବଲମ୍ବନ, ସ୍ୱାଧୀନତା, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ । ଏହା ପରିବେଶ ଅନୁକୂଳ । ଗ୍ରାମୀଣ ରୋଜଗାରର ବଳିଷ୍ଠ ମାଧ୍ୟମ ଖଦି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ । କଟକ ଜିଲ୍ଲା ମାଣିଆବନ୍ଧ ବୁଦ୍ଧ ମଣ୍ଡପଠାରେ ଆଜି ୪୨ ଗୋଟି ଖଦି ସଂସ୍ଥାକୁ ଖଦି ସହାୟକ ଉପକରଣ ବଣ୍ଟନ ଅବସରରେ ସେ ଏହା କହିଛନ୍ତି । ପ୍ରତ୍ୟେକ ଖଦି ଅନୁଷ୍ଠାନକୁ ୪ ଲକ୍ଷ ଟଙ୍କାର ୮୫ ହଜାର ଟସର କୋଷା ବଣ୍ଟନ କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୬୪ଟି ଖଦି ସଂସ୍ଥା କାର୍ଯ୍ୟକ୍ଷମ ଅଛନ୍ତି । ସେମାନଙ୍କୁ ଅଧିକ ରୋଜଗାରକ୍ଷମ ଓ ସ୍ଵାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଖଦି ବୋର୍ଡ ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ବୁଣାକାରଙ୍କ ଦକ୍ଷତା ବୃଦ୍ଧି ପାଇଁ ଉନ୍ନତ ଉପକରଣ ଯୋଗାଇଦେବାକୁ ସରକାର ଗୁରୁତ୍ଵ ଦେଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା-ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ଯୋଗ ଦେଇ କହିଥିଲେ, ବୟସ୍କ ଓ ମହିଳାଙ୍କୁ ରୋଜଗାର ପ୍ରଦାନ ସହ ସଶକ୍ତ ଗ୍ରାମୀଣ ଅର୍ଥନୀତି ଗଠନ ପାଇଁ ଖଦି ସଂସ୍ଥାର ପୁନଃରୁଦ୍ଧାର ହେଉଛି ସମୟର ଆହ୍ଵାନ ।
ଏହି କାର୍ଯ୍ୟକ୍ରମରେ ଖଦି ବୋର୍ଡ଼ ସଚିବ ସଞ୍ଜୟ କୁମାର ମିଶ୍ର, ଉପ-ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ବୋର୍ଡ ସଦସ୍ୟ ଡଃ ଅରୁନ୍ଧତୀ ଦେବୀ, ଡଃ ଦେବେନ୍ଦ୍ର ନାଥ ମାନସିଂହ ଓ ଶ୍ରୀ ପୃଥୀରାଜ ସାହୁ, ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ୩୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ନୟନା ସାହୁ, ମାଣିଆବନ୍ଧ ସରପଞ୍ଚ ରଶ୍ମିତା ସ୍ଵାଇଁ, ଖଦି ବୁଣାକାରମାନେ ଉପସ୍ଥିତ ହୋଇଥିଲେ ।