ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

ସୁରକ୍ଷା ଦାୟିତ୍ବରେ ୩୦ ପ୍ଲାଟୁନ ଫୋର୍ସ

ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର, ୧୮/୯: ଆଜିଠୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଚଳିତ ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ରହିଛି। ଆଜି ଶୋକସଭା ସହିତ ଅଧିବେଶନ ଆରମ୍ଭ ହେବ। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ସରକାରୀ କାର୍ଯ୍ୟ ଦିବସ ଭାବରେ ନିର୍ଣ୍ଣୟ କରାଯାଇଛି।

ରାଜ୍ୟରେ ଚାଲିଥିବା ସାର ସଙ୍କଟ ଏବଂ ମହିଳାମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଓ ଚାଷୀମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ସରକାରଙ୍କ ସହିତ ମୁହାଁମୁହିଁ ହେବାକୁ ପ୍ରସ୍ତୁତ।

ଏହା ପୂର୍ବରୁ, ସେପ୍ଟେମ୍ବର ୧୬ ତାରିଖରେ ଅଧିବେଶନ ପୂର୍ବରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ସୁରୁଖୁରୁରେ ଗୃହ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବରିଷ୍ଠ ବିଜେଡି ନେତା ଏବଂ ବିଧାନସଭାରେ ଦଳୀୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମଙ୍କ ସମେତ ଅନ୍ୟାନ୍ୟ ନେତାମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହା ସହ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ସଦାସର୍ବଦା ସତର୍କ ଓ ସଜାଗ ରହିବାକୁ ନିୟୋଜିତ ହୋଇଥିବା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ସୁରକ୍ଷାରେ ୩୦ ପ୍ଲାଟୁନ୍ ଫୋର୍ସ ଓ ପ୍ରାୟ ୧୫୦ ଅଫିସର୍‌ ନିୟୋଜିତ ରହିବେ।