ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲା ପୋଲିସ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା । ଅଧିକ ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲା କମିଶନରେଟ ପୋଲିସର ୬ ଜଣିଆ ଟିମ୍ । ଅତିରିକ୍ତ ଡିସିପିଙ୍କ ସହ ସାଇବର ଥାନା ଅଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀଙ୍କ ମିଳିତ ଟିମ୍ ଶିଶୁପାଳଗଡସ୍ଥିତ ଲକ୍ଷ୍ମୀବିହାର ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରୁଛି । ଧର୍ମେନ୍ଦ୍ରଙ୍କ ପତ୍ନୀ, ପରିବାର ଲୋକ ଓ ରୋଷେୟା ପରିବାରକୁ ପଚରାଉଚରା କରାଯାଉଛି ।

ସେପଟେ ଶ୍ୱାସରୁଦ୍ଧ ଯୋଗୁଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ପୋଷ୍ଟ ମର୍ଟମ ରିପୋର୍ଟରେ କୁହାଯାଇଛି । ଶରୀରର ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଶନିବାର ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଘର ବାଲକୋନିରୁ ମିଳିଥିଲା । ପୂର୍ବରୁ ମଧ୍ୟ ପତ୍ନୀ ଓ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ । ସେହିପରି ଜବତ ସିସିଟିଭି ଫୁଟେଜ ସହ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇଛି ପୋଲିସ । ସେଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।