ଗିରଫ ହେଲେ ବଣାଇ ରୁକୁଡ଼ା ଜଳସେଚନ ପ୍ରକଳ୍ପ କିରାଣି

ଆଜି ରେଡ୍ ହ୍ୟାଣ୍ଡ ଧରିଥିଲା ଭିଜିଲାନ୍ସ

ସୁନ୍ଦରଗଡ଼, ୨୦/୯: ସୁନ୍ଦରଗଡ ଜିଲ୍ଲାର ବଣାଇ ରୁକୁଡ଼ା ଜଳସେଚନ ପ୍ରକଳ୍ପର ଭୂମି ଅଧିଗ୍ରହଣ ଏବଂ ପୁନର୍ବାସ କାର୍ଯ୍ୟାଳୟର କିରାଣି ପୃଥ୍ୱୀରାଜ କାମିଲାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ।

ଜଣେ ଆଦିବାସୀ ବ୍ୟକ୍ତିଙ୍କ ଜମି ଅଧିଗ୍ରହଣ ଟଙ୍କା ରିଲିଜ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଲାଞ୍ଚ ଗ୍ରହଣ କରିବା ସମୟରେ କାମିଲା ଧରାପଡ଼ିଛନ୍ତି।

ଜମି ଅଧିଗ୍ରହଣ ପାଇଁ ୨ ଲକ୍ଷ ୭ ହଜାର ଟଙ୍କା ରିଲିଜ୍ କରିବା ପାଇଁ କାମିଲା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୧୦ ହଜାର ଟଙ୍କା ନେଇଥିବା ବେଳେ ଅଭିଯୋଗକାରୀ ଆଉ ବାକି ଟଙ୍କା ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିବାରୁ ସେ ୭ ହଜାର ଟଙ୍କା ଦେବାକୁ କହିଥିଲେ। ଆଜି ୭ ହଜାର ଟଙ୍କା ନେଉଥିଲେ। ଅଭିଯୋଗକାରୀ ଭିଜିଲାନ୍ସକୁ ଯୋଗାଯୋଗ କରି ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ଆଜି ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ଭିଜିଲାନ୍ସ କାମିଲା ଲାଞ୍ଚ ନେଉଥିବା ଅବସ୍ଥାରେ ଧରିଛି।

କାମିଲାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ସହ ଜଡ଼ିତ ୪ ଟି ଠିକଣା ଉପରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।