ବିଧାନସଭା: ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଓ ହୋହଲ୍ଲା

ଶୃଙ୍ଖଳା ବଜାୟ ରଖିବାକୁ ବାଚସ୍ପତିଙ୍କ ନିବେଦନ

ଭୁବନେଶ୍ୱର, ୨୩/୯: ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ସରଗରମ ରହିଛି ଗୃହ। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ଦଳ ନାରାବାଜି କରିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ଜୋରହୋର ହୋହଲ୍ଲା କରିଛି ବିଜେଡି। ଗୃହ ମଧ୍ୟଭାଗରେ ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ ଆଗରେ ଠିଆ ହୋଇ ବିଜେଡ଼ି ସଦସ୍ୟ ପ୍ରତିବାଦ କରିଛନ୍ତି।

ସେପଟେ କଂଗ୍ରେସ ସଦସ୍ୟ ନିଜ ଆସନରେ ଠିଆ ହୋଇ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ବିଜେଡ଼ି ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ପ୍ରତିବାଦ କରିଛି କଂଗ୍ରେସ।

ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ଓ ଗୃହକାର୍ଯ୍ୟରେ ସହଯୋଗ କରିବା ପାଇଁ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ବିରୋଧୀଙ୍କ ହୋହଲ୍ଲା, ନାରାବାଜି ଜାରି ରହିଛି। ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ମଧ୍ୟରେ ପ୍ରଶ୍ନକାଳ ଜାରି ରହିଛି।